ପୂର୍ବତନ ଛାତ୍ରନେତା, ଇପିଏଫ କମିଶନର ଓ ସ୍ତମ୍ଭକାର ସଞ୍ଜୟ ରଥ ବିଜେପିରେ ସାମିଲ

ବିଜେପିର ମିଶ୍ରଣ ପର୍ବ…

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ପୂର୍ବତନ ଛାତ୍ରନେତା ତଥା ଅବସରପ୍ରାପ୍ତ ଇପିଏଫ କମିଶନର ଓ ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ସଞ୍ଜୟ ରଥ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟୀ ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ରଥ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା କଲେଜର ୯୦ଦଶକର ଛାତ୍ରସଂସଦର ସଭାପତି ସହ ରାଜ୍ୟ ସ୍ତରୀୟ ଛାତ୍ର ରାଜନୀତିରେ ବେଶ୍ ସକ୍ରିୟ ଥିଲେ । ପରେ ବିଶ୍ୱର ସବୁଠାରୁ ବୃହତମ ସାମାଜିକ ସୁରକ୍ଷା ସଂଗଠନ ଭାରତ ସରକାରଙ୍କର ଶ୍ରମ ମନ୍ତ୍ରଣାଳୟ ଅଧିନସ୍ଥ କର୍ମଚାରୀ ଭବିଷ୍ୟନୀତି ସଂଗଠନ(ଇପିଏଫଓ)ରେ ସହକାରୀ ଭବିଷ୍ୟନିଧି କମିଶନରଭାବେ ରାଜ୍ୟରେ କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଅନେକ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି ।

ବିଶେଷ କରି କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ତାଙ୍କର ଭୁବନେଶ୍ୱର କାର୍ଯ୍ୟକାଳ ସ୍ମରଣୀୟ ହୋଇ ରହିଛି । ଅତୀତରେ କେନ୍ଦ୍ର ସରକାରଙ୍କ ପେନସନ୍‌ମେଳା, ପ୍ରଧାନମନ୍ତ୍ରୀ ମାନଧନ ଶ୍ରମଯୋଗୀ ଯୋଜନା, ପ୍ରଧାନମନ୍ତ୍ରୀ ରୋଜଗାର ପ୍ରତ୍ସାହନ ଯୋଜନା ଓ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଭଳି ବିଭିନ୍ନ ଜନହିତକର ଓ କର୍ମଚାରୀମାନଙ୍କର କଲ୍ୟାଣ ନିମନ୍ତେ ଉର୍ଦ୍ଧିଷ୍ଟ ଯୋଜନାକୁ ରୁପାୟିତ କରିବାରେ ଶ୍ରୀ ରଥ ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଆହୁରି ୬ବର୍ଷରୁ ଊର୍ଦ୍ଧ୍ୱ ଚାକିରୀ କାର୍ଯ୍ୟକାଳ ଥିଲାବେଳେ ସେ ଏହି ନିକଟରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଜନସେବାରେ ସମ୍ପୂର୍ଣ୍ଣ ରୁପେ ଉସର୍ଗୀକୃତ କାର୍ଯ୍ୟ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି ।

ଆଗାମୀ ୨୫ବର୍ଷ ଭାରତ ବର୍ଷ ଓ ରାଜ୍ୟ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ ହୋଇ ଆଗାମୀ ଦିନରେ ରାଷ୍ଟ୍ର ତଥା ରାଜ୍ୟର ହିତସାଧନ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ରଥ କହିଛନ୍ତି । ଶ୍ରୀ ସଞ୍ଜୟ ରଥଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ । ଏହି ମିଶ୍ରଣ ପର୍ବ ଅବସରରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।