କଳଙ୍କିତ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁୁ ତୁରନ୍ତ ହଟାନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ଅଭିଯୋଗର ୯ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କାହିଁକି ନୀରବ ?

ଭୁବନେଶ୍ୱର: ଓଡିଶାରେ ରାଜ୍ୟ ସରକାର ନିଜର କଳଙ୍କିତ ଅପରାଧୀ ନେତା, ମନ୍ତ୍ରୀ ଓ ବିଧାୟକମାନଙ୍କୁ ସୁରକ୍ଷାର ଛତ୍ରଛାୟା ତଳେ ରଖୁଛନ୍ତି । ମହିଳା ସମ୍ମାନର ଗପ ଶୁଣାଉଥିବା ମୁଖ୍ୟମନ୍ତ୍ରୀ ନିଜର ଦଳର ମହିଳା କର୍ମୀ ସଂଯୁକ୍ତା ମହଲାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଅଭିଯୋଗକାରିଣୀ ଶ୍ରୀମତୀ ମହଲା ରାଜ୍ୟର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଗୋଟିଏ ମାମଲା ରୁଜୁ କରିବା ପାଇଁ ଗତ ୧୩ ତାରିଖ ଦିନ ଭୁବନେଶ୍ୱର ମହିଳା ଥାନାରେ ୧୪ଘଂଟା ବିତାଇଲେ । କିନ୍ତୁ ପୋଲିସ ତାଙ୍କ ମାମଲା ରୁଜୁ ନକରି ନିଜସ୍ୱ ମାମଲା ବୋଲି କହି ଶାସକ ଦଳର ନେତାଙ୍କୁ ସୁରକ୍ଷା ଯୋଗାଇ ଦେଲେ । ଆଇନର ଗଳାବାଟ ବାହାର କରି ଜଣେ ମହିଳାଙ୍କୁ ନ୍ୟାୟରୁ ବଂଚିତ କରିବା ଗଣତନ୍ତ୍ର ବିରୋଧୀ । ଶ୍ରୀମତୀ ମହଲାଙ୍କ ଏଫଆଇଆର ରୁଜୁ କାହିଁକି କରାଗଲା ନାହିଁ ଓ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା ନାହିଁ ? ଅଭିଯୋଗର ୯ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କାହିଁକି ନୀରବ ? ସେ ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ଭୁବନେଶ୍ୱର-କଟକ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିବା ସହିତ ତୁରନ୍ତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି ।

ସାଧାରଣ ଲୋକଙ୍କ ପାଇଁ ଆଇନ ଅଲଗା ବିଜୁ ଜନତା ଦଳର ନେତାମନ୍ତ୍ରୀମାନଙ୍କ ପାଇଁ ଆଇନ ଅଲଗା । ବିଜୁ ଜନତା ଦଳର ମନ୍ତ୍ରୀ ବୋଲି ତାଙ୍କୁ ଖସି ଯିବାକୁ ପୋଲିସ ସୁଯୋଗ ଓ ସହଯୋଗ କରିବା ସହ ଗଳାବାଟ କରୁଛି, ଯାହା ଆଦୈା ଗ୍ରହଣୀୟ ନୁହେଁ । ମହିଳାମାନଙ୍କୁ ସମ୍ମାନର କଥା କହି ବିଜେଡି ଦଳ ଶାସନକୁ ଆସୁଛି, କିନ୍ତୁ କ୍ଷମତାଶୀନ ହେବା ପରେ ମହିଳାଙ୍କ ସୁରକ୍ଷା ତ ଦୂରର କଥା, ମହିଳାମାନେ ସମ୍ମାନ ସହ ବଂଚିବା ପାଇଁ ମଧ୍ୟ ଅସମର୍ଥ ହୋଇଯାଉଛନ୍ତି । ଅତୀତରେ ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ଶାସକ ବିଜେଡିର ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ସମୀର ଦାଶଙ୍କ ସମେତ ବିଧାୟକ ବିଜୟ ଶଙ୍କର ଦାସ ଏବଂ ବର୍ତମାନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ସୁରକ୍ଷା ଦେବାରେ ପୋଲିସ ରହିଛି । ପୋଲିସ ଘଟଣାର ତଦନ୍ତ କରୁନାହିଁ, ଅପରାଧୀ ମାମଲା ରୁଜୁ କିମ୍ବା ଆଇନଶୃଙ୍ଖଳା ଭଳି କାର୍ଯ୍ୟ କରୁନାହିଁ । କେବଳ ବିଜୁ ଜନତା ଦଳକୁ କ୍ଷମତାରେ ରଖିବା ପୋଲିସ କାମ କରୁଛି । ଏନେଇ ପ୍ରତିବାଦ କରିବାରୁ ଶାସକ ବିଜେଡିର ନିର୍ଦ୍ଦେଶରେ ପୋଲିସ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେଉଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ପୋଲିସ ତୁରନ୍ତ ସଂଯୁକ୍ତା ମହଲାଙ୍କ ଏତଲାର ତଦନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ତଦନ୍ତ କରୁ । ଶ୍ରୀକାନ୍ତ ସାହୁକୁ ପୋଲିସ ଡାକି ତଦନ୍ତ ପରିସରଭୁକ୍ତ କରାଉ । ଘଟଣାର ସତ୍ୟାସତ୍ୟ କଣ? ପାରିବାରିକ, ବ୍ୟକ୍ତିଗତ କଥା କହି କେହି ଖସିପାରିବେ ନାହିଁ । ଅଭିଯୁକ୍ତ ଅଭିଯୋଗକାରିଣୀ ହେଉଛନ୍ତି ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତ୍ରୀ । ମୁଖ୍ୟମନ୍ତ୍ରୀ କଳଙ୍କିତ ମନ୍ତ୍ରୀଙ୍କୁ ସରକାରରୁ ହଟାନ୍ତୁ ଏବଂ ତାଙ୍କ ମନ୍ତ୍ରୀପଦ ରଦ୍ଦ କରିବାକୁ ପାର୍ଟୀ ତରଫରୁ ଦାବୀ କରାଯାଇଛି ।
ଏହି ପ୍ରତିନିଧି ଦଳରେ ବିଧାୟକ ତଥା ରାଜ୍ୟ ଉପସଭାପତି ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାନେତ୍ରୀ ଅନୀତା ଶୂଭଦର୍ଶୀନି, ବରିଷ୍ଠ ନେତା ମହେଶ ମହାନ୍ତି, ଜୟନ୍ତୀ ପଢିଆରୀ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।