ସ୍ୱାଧୀନତା ଥିଲା କୋଟି କୋଟି ଭାରତୀୟମାନଙ୍କ ସତ୍ୟ ଓ ଅହିଂସାର ବିଜୟ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛି…

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଭାରତୀୟ ଭାବେ ଏହା ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଅବସରରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ଏହି ଅବସରରେ ମହାନ ସଂଗ୍ରାମୀ, ବୀର ସହୀଦ ଏବଂ ମାନବ ଜାତିର ସେବାରେ ସହୀଦ ହୋଇଥିବା କୋଭିଡ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। #IndiaAt75

ଆମର ସ୍ୱାଧୀନତା ଥିଲା କୋଟି କୋଟି ଭାରତୀୟମାନଙ୍କ ବିଜୟ। ସତ୍ୟ ଓ ଅହିଂସାର ବିଜୟ। ଏହି ବିଜୟ ସାରା ବିଶ୍ବକୁ ବାଟ ଦେଖାଇଛି। ଗତ ୭୫ ବର୍ଷରେ ଦେଶ ଅନେକ ମାଇଲଖୁଣ୍ଟ ହାସଲ କରିଛି। ଆମ ଓଡ଼ିଶା ଦେଶର ବିକାଶ ସହ ତାଳ ଦେଇ ଆଗେଇ ଚାଲିଛି। ୭୫ ବର୍ଷରେ ଓଡ଼ିଶା ଅନେକ କ୍ଷେତ୍ରରେ ଦେଶକୁ ବାଟ ଦେଖାଇଛି।

ଓଡ଼ିଶାରେ ରୂପାନ୍ତରଣର ନୂଆ ଯୁଗ ଆରମ୍ଭ ହୋଇଛି। ଓଡ଼ିଶାର ସଫଳତା ଅନ୍ୟମାନଙ୍କୁ ମାର୍ଗଦର୍ଶନ କରାଉଛି। ବଳକା ଖାଦ୍ୟ ରାଜ୍ୟ ସହ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିଶ୍ବ ପାଇଁ ଆଦର୍ଶ। ସ୍ପୋର୍ଟସ ହବ୍ ଭାବେ ନୂଆ ପରିଚୟ ସୃଷ୍ଟି କରିବା ସହ ୭୦ ଲକ୍ଷ ମା’ଙ୍କୁ ସଶକ୍ତ କରିବା ଆମ ଓଡ଼ିଶାର ଜୟଯାତ୍ରାର ପ୍ରତୀକ।

ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ପିଲାମାନଙ୍କ ଭିତରେ ନୂଆ ଆଶା ସୃଷ୍ଟି କରିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଶ୍‌ ଲୋକପ୍ରିୟ ହୋଇଛି। କୋଟିଆରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ୧ ଲକ୍ଷ ପିଲା ପାଠ ପଢୁଛନ୍ତି। ଏହି ଅବସରରେ ୫ ହଜାର ଝିଅ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ କରାଯାଇଛି।

ସ୍ୱାଧୀନତାର ୭୫ ବର୍ଷ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାର ଗ୍ରାମାଞ୍ଚଳରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ୩୦୦୦ ସ୍ମାରକୀ ସ୍ଥାପନ କରୁଛୁ। ସରକାରୀ କ୍ଷେତ୍ରରେ ଖାଲି ଥିବା ବିଭିନ୍ନ ପଦବୀଗୁଡ଼ିକ ପୂରଣ ପାଇଁ ନିଯୁକ୍ତି ଜାରି ରହିଛି। ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି।

ଜନଜାତି ଭାଇଭଉଣୀମାନଙ୍କ ବିକାଶ ଓ ସେମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ବହୁତ ଭଲ କାମ କରିଛି। ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମ୍‌ରେ ଆମ ଓଡ଼ିଆ ପିଲା ଶେଷ କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା।

ଓଡ଼ିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡ଼ିଆମାନେ ସବୁବେଳେ ଆଞ୍ଚଳିକବାଦ ମାନସିକତାରୁ ଉପରକୁ ଉଠି ଜାତୀୟତା ଭାବ ନେଇ କାମ କରନ୍ତି। ଭାରତୀୟ ଜାତୀୟ ହକିର ଉଭୟ ପୁରୁଷ ଏବଂ ମହିଳା ଦଳ ପାଇଁ ଓଡ଼ିଶା ପ୍ରାୟୋଜକ ହେବା ଆମ ଜାତୀୟତା ଭାବର ଶ୍ରେଷ୍ଠ ଉଦାହରଣ।

ଆଉ ୨୫ ବର୍ଷ ପରେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ସେଥିପାଇଁ ଆମକୁ ବର୍ତ୍ତମାନଠାରୁ ପ୍ରସ୍ତୁତ ହେବାକୁ ହେବ। ମୋର ପୁରା ବିଶ୍ୱାସ ଏହି ସମୟରେ ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେବା ଆମେ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବା। #JaiHind