୭ରୁ ଏମ୍ସ ଭୁବନେଶ୍ୱର ଓପିଡି ସେବା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌) : ରାଜ୍ୟରେ କୋଭିଡ-୧୯ ହ୍ରାସ ପାଇଥିବା ଦୃଷ୍ଟିରରେ ରଖି ଏମ୍ସ ଭୁବନେଶ୍ୱର ଆସନ୍ତା ଫେବୃଆରୀ ୭ ତାରିଖରୁ ଓପିଡି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଲୋକଙ୍କ ଉନ୍ନତ ଚିକିତ୍ସା ସେବା ରୋଗୀଙ୍କୁ ଉପକୃତ କରିବାର ସମ୍ଭାବନା ରହିଛି । ଏମ୍ସ ଭୁବନେଶ୍ୱର ପକ୍ଷରୁ କୁହାଯାଇଛି ଯେ କୋଭିଡ ଭାଇରସ ଦୈନିକ ମାମଲାକୁ ଦୃଷ୍ଟିରେ ରଖି ୱାକ-ଇନ୍‌-ଓପିଡି ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ବିଜ୍ଞପ୍ତି ଅନୁଯାୟୀ ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀ ଅନୁସରଣ କରିବେ ।

ସେହିପରି ଭୁବନେଶ୍ୱରର ପ୍ରତ୍ୟେକ ବିଭାଗକୁ ନୂତନ ସଂକ୍ରମଣ ମାମଲା ପାଇଁ ୪ରୁ ୫ ଶଯ୍ୟା ସଂରକ୍ଷଣ କରିବାକୁ କୁହାଯାଇଛି । ତେବେ ଏହି ସମୟରେ ରୋଗୀମାନଙ୍କର ସାମଗ୍ରିକ ରୁଟିନ୍‌ ଚେକ୍‌ ଅପ୍‌ ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍‌ ଏବଂ ଟେଲିମେଡିସିନ୍‌ ଜାରି ରହିବ । ସମସ୍ତ ଆଇପିଡି ଆଡମିଶନ ଏବଂ ଓଟି ଗୁଡିକ କରୋନା ପୂର୍ବ ସମୟ ପରି କାର୍ଯ୍ୟ କରିବ । ସେହିଭଳି କୋଭିଡ ଲେବର ରୁମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁଆରୀ ୧୭ରୁ ହସ୍ପିଟାଲର ସମସ୍ତ ବିଭାଗରେ ୱାକ-ଇନ୍‌ ଓପିଡି ସେବା ବନ୍ଦ କରାଯାଇଥିଲା ।