ଚାକିରି କରାଇଦେବାକୁ କହି ବେଙ୍ଗାଲୁରୁରୁ ଠକେଇ ଭୁବନେଶ୍ୱରରୁ ଗିରଫ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) : ଚାକିରି କରାଇଦେବାକୁ କହି ବେଙ୍ଗାଲୁରୁରେ ଠକାଇ କରି ଓଡିଶାରେ ଲୁଚିଥିଲେ ୩ ଅଭିଯୁକ୍ତ । ୨୦ ଲକ୍ଷ ଠକେଇ ଅଭିଯୋଗରେ ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ୍‌ । ଚନ୍ଦ୍ରଶେଖରପୁର ଥାନା ପୁଲିସ ସହାୟତାରେ ବେଙ୍ଗାଲୁରୁ ପୁଲିସର ସ୍ୱତନ୍ତ୍ର ଟିମ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡିଆ ଥିବା ବେଳେ ଜଣେ ମହାରାଷ୍ଟ୍ର ପୁଣେ ଅଞ୍ଚଳର ବୋଲି ଜଣାପଡିଛି । ଏହି ଠକେଇ ୨୦୧୮ ମସିହାରେ ହୋଇଥିଲା । ଚାକିରି କରାଇବାକୁ କହି ତିନି ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ । ଏମାନେ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରୁଥିଲା । ମାତ୍ର ଠକମାନେ ବାରମ୍ୱାର ଠିକଣା ପରିବର୍ତ୍ତନ କରୁଥିବାରୁ ସେମାନଙ୍କୁ ପୁଲିସ ଗିରଫ କରିପାରୁନଥିଲା । ତେବେ ତିନି ଅଭିଯୁକ୍ତ ଭୁବନେଶ୍ୱରରେ ଥିବା ଜାଣିବାକୁ ପାଇଥିଲା ବାଙ୍ଗାଲୁରୁ ପୁଲିସ । ଏହା ପରେ କମିଶନରେଟ୍‌ ପୁଲିସର ସହାୟତା ନେଇଥିଲା । ଚନ୍ଦ୍ରଶେଖରପୁର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ବେଙ୍ଗାଲୁରୁ ପୁଲିସକୁ ହସ୍ତାନ୍ତର କରିଛି । ଅନ୍ୟପକ୍ଷରେ ବେଙ୍ଗାଲୁରୁ ପୁଲିସ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି ।