ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରିବ ଶିକ୍ଷା ମନ୍ତ୍ରଣାଳୟ

ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଆସନ୍ତା ୨୬-୨୮ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଓଇସିଡି, ୟୁନେସ୍କୋ ଏବଂ ୟୁନିସେଫ ଭଳି ନିମନ୍ତ୍ରିତ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।

 

ଏହି ତିନି ତିନିଆ କାର୍ଯ୍ୟକ୍ରମରେ ସେମିନାର/ପ୍ରଦର୍ଶନୀ ଏବଂ କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନ କରାଯିବ । ଏନଏସଡିସି ସହଭାଗିତାରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଓ ବସ୍ତୁବିଦ୍ୟା ପ୍ରତିଷ୍ଠାନ ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ କ୍ଷମତା ବିକାଶ’ ବିଷୟବସ୍ତୁ ଉପରେ ସେମିନାର ଆୟୋଜନ କରାଯିବ । କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସମ୍ବୋଧିତ କରିବେ ।

କାର୍ଯ୍ୟକ୍ରମ ପୂର୍ବରୁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶ୍ରୀ ସଞ୍ଜୟ କେ ମୂର୍ତ୍ତି କହିଥିଲେ ଯେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ବିଚାରବିମର୍ଶ ଲାଗି ଏକ ମଞ୍ଚ ଯୋଗାଇ ଦେବ ।  ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂଗଠନାରୁ ମିଳିଥିବା ଇନପୁଟ୍‌ ଆଧାରରେ ଜି୨୦ ଶିକ୍ଷା ମନ୍ତ୍ରୀମାନଙ୍କର ଘୋଷଣା ନାମର ଜିରୋ ଡ୍ରାଫ୍ଟ ଉପରେ ବିଚାରବିମର୍ଶ କରିବା ଲାଗି ଏହି ମଞ୍ଚ ସହାୟକ ହୋଇପାରିବ । ଏହି ବିଚାରବିମର୍ଶରୁ ମିଳିଥିବା ପରିଣାମ ଓ ସୁପାରିସକୁ ଆସନ୍ତା ୨୨ ଜୁନ ୨୦୨୩ରେ ପୁଣେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା ମନ୍ତ୍ରୀମାନଙ୍କର ବୈଠକ ସମୟରେ ଉପସ୍ଥାପିତ ହେବାକୁ ଥିବା ଘୋଷଣାନାମା ପ୍ରସ୍ତୁତି ବା ଡ୍ରାଫ୍ଟିଂରେ ସହାୟକ ହୋଇପାରିବ ।

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀ ଅତୁଲ ତିୱାରୀ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆୟୋଜିତ ହେଉଥିବା ପ୍ରାକ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଉତ୍କଳ ଦିବସ ପରଠାରୁ ଆରମ୍ଭ ହୋଇଥିବା ଜନଭାଗିଦାରୀ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଭାରତର ଜି୨୦ ଅଧ୍ୟକ୍ଷତାକୁ ଜନସାଧାରଣଙ୍କ ଅଧ୍ୟକ୍ଷତାରେ ପରିଣତ କରିବା ଲାଗି ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମ ଫଳପ୍ରଦ ହୋଇଥିବା ସେ କହିଥିଲେ । ସେ ଆହୁରି କହିଥିଲେ ଯେ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସଆଇଆର-ଆଇଆଇଏମଟି ଠାରେ ଜି୨୦ ଭବିଷ୍ୟତର କାର୍ଯ୍ୟ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ବର୍ତ୍ତମାନ ଏହି ପ୍ରଦର୍ଶନୀ ଜାରି ରହିଛି । ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପରିପ୍ରେକ୍ଷୀରେ ବିଭିନ୍ନ ସମ୍ମିଳନୀ ଓ କର୍ମଶାଳା ଆୟୋଜନ କରାଯାଉଛି ।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ଶ୍ରୀ ସଞ୍ଜୟ କୁମାର ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶ ବିଷୟକୁ ସାମିଲ କରିବା ଉପରେ ଆଲୋଚନା କରିଥିଲେ । ପିଲାମାନଙ୍କୁ ଭବିଷ୍ୟତର କ୍ଷମତାରେ ସଶକ୍ତ କରିବା ଏବଂ ସେମାନଙ୍କୁ ଆଜୀବନ ଅଧ୍ୟୟନ କରିବା ଲାଗି ସକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯିବା ସମ୍ପର୍କରେ ସେ ସୂଚନା ଦେଇଥିଲେ ।  ଆଜି ଭାରତ ଓ ସିଙ୍ଗାପୁର କର୍ମଶାଳା ସମୟରେ ସିଙ୍ଗାପୁର ପ୍ରତିନିଧିଙ୍କ ସହିତ ହୋଇଥିବା ବୈଠକ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଭାରତ ଓ ସିଙ୍ଗାପୁର ମଧ୍ୟରେ ସହଭାଗିତାର ବିଭିନ୍ନ ଦିଗ ଅନ୍ୱେଷଣ କରାଯାଉଥିବା ସେ କହିଥିଲେ । ଭୁବନେଶ୍ୱର ପରେ ଅନ୍ୟତ୍ର ଆୟୋଜିତ ହେବାକୁ ଥିବା ଚତୁର୍ଥ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଶାସ୍ତ୍ର ଉପରେ ଗୁରୁତ୍ୱାରୋପ କରାଯିବ ଯାହାକି ଜାତୀୟ ଶିକ୍ଷା ନୀତି ୨୦୨୦ରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ।

ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଓ ସେମିନାରରେ ୨୭ରୁ ଅଧିକ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ । ଏହାବ୍ୟତୀତ, ୟୁନେସ୍କୋ, ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥା କାର୍ଯ୍ୟଗୋଷ୍ଠୀର ବିଭିନ୍ନ ଉପସ୍ଥାପନା ଉପରେ ଆଲୋଚନା କରାଯିବ । ଏହି କାର୍ଯ୍ୟକ୍ରମରେ ମଲ୍ଟିମିଡିଆ ପ୍ରଦର୍ଶନୀ ଆୟୋଜନ କରାଯିବ ଯେଉଁଥିରେ ଶିଳ୍ପ ଜଗତ, ଶିକ୍ଷାବିତ, ଷ୍ଟାର୍ଟଅପ୍ ସଂସ୍ଥାମାନେ ଅଂଶଗ୍ରହଣ କରିବେ । ପ୍ରଦର୍ଶନୀକୁ ସ୍ଥାନୀୟ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଓ ଗବେଷକମାନଙ୍କ ପାଇଁ ୨୩ରୁ ୨୫ ତାରିଖ ଏବଂ ୨୭ରୁ ୨୮ ତାରିଖ ପର୍ଯ୍ୟନ୍ତ ଖୋଲାଯାଇଛି ।

ଜି -୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ଭ୍ରମଣ ଉପାଦାନ ଅଧୀନରେ ବିଦେଶୀ ପ୍ରତିନିଧିମାନେ କୋଣାର୍କ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ । ଜି୨୦ ବୈଠକ ପରିପ୍ରେକ୍ଷୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବିଦେଶୀ ପ୍ରତିନିଧିମାନଙ୍କ ସମ୍ମୁଖରେ ଓଡ଼ିଶାର ପାରମ୍ପରିକ କଳା ଓ ହସ୍ତଶିଳ୍ପ ପ୍ରଦର୍ଶିତ କରାଯିବ ।

ଆଜିର ସାମ୍ବାଦିକ ସମ୍ମିଳନୀକୁ ପିଆଇବିର ମହାନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ର କେଂଥୋଲା ପରିଚାଳନା କରିଥିଲେ ।