ଆସୁଛନ୍ତି ଗଜାନନ, ରାଜଧାନୀରେ ଚାଲିଛି ଜୋରସୋର ପ୍ରସ୍ତୁତି…

ବିଘ୍ନରାଜ ଗଣେଶଙ୍କ ଧରାପୃଷ୍ଠରେ ଆଗମନ ପାଇଁ ହାତରେ ଆଉ ଦିନ…..

ଭୁବନେଶ୍ୱର: ବିଘ୍ନରାଜ ଗଣେଶଙ୍କ ଧରାପୃଷ୍ଠରେ ଆଗମନ ପାଇଁ ହାତରେ ଆଉ ଦିନ କେଇଟା । ଭାଦ୍ରବ ମାସ କଷ୍ଣପକ୍ଷ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୋଇଥାଏ ଗଣେଶ ପୂଜା । ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠେ ପଲ୍ଲୀରୁ ଦିଲ୍ଲୀ । ଛୋଟ ବଡ଼ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ସବୁଆଡ଼େ ବିଘ୍ନହର୍ତ୍ତାଙ୍କୁ ସ୍ୱାଗତ ପାଇଁ ବେଶ୍ ଉତ୍କଣ୍ଠାର ଅପେକ୍ଷା କରିରହିଥାନ୍ତି ଭକ୍ତ ।  ବିଭିନ୍ନ ପୂଜା ମଣ୍ଡପରେ ଗଣେଣ ପୂଜାର ଥାଏ ନିଆରା ପରମ୍ପରା । ପୂଜା ମଣ୍ଡପରେ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ ଗଣେଶପୂଜା । ରଙ୍ଗବେରଙ୍ଗର ଆଲୋକମାଳା ସାଙ୍ଗକୁ ବିଘ୍ନହର୍ତ୍ତାଙ୍କ ସୁଉଚ୍ଚ ଏବଂ ସୁସଜ୍ଜିତ ମୂର୍ତ୍ତି ଦେଖବାକୁ ଖୁବ୍ ଆକର୍ଷଣୀୟ ହୋଇଥାଏ । ଆହୁରି ପୁଣି ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ । ଖାଲି ସେତିକି ନୁହେଁ ଭସାଣିର ମଧ୍ୟ ସ୍ୱତନ୍ତ୍ର ଉତ୍ସାହ ରହିଛି । ତେବେ ପାର୍ବତୀନନ୍ଦନ ଏକଦନ୍ତଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି ।

କରୋନା ମହାମାରୀ କାରଣରୁ ଦୁଇ ବର୍ଷ ଧରି ନିରାଡ଼ମ୍ବର ଭାବରେ ପାଳନ କରାଯାଉଥିବାରୁ, ତାହକୁ ନେଇ ନିରାଶା ଦେଖବବାକୁ  ମିଳିଥିଲା । କିନ୍ତୁ ଏବେ ମହାମାରୀର ପ୍ରକୋପରୁ କମିଥିବାରୁ ଖୁବ୍ ଆଡମ୍ବରର ସହ ପାଳନ କରାଯିବ ଗଣେଶ ପୂଜା । ରାଜଧାନୀ ପୁରୁଣା ଭୁବନେଶ୍ୱରର ଯମେଶ୍ୱର ପାଟଣା ସାହି, ବଡ଼ଗଡ଼ରେ, ନୟାପଲ୍ଲୀ ଭଳି ପୁରୁଣା ତଥା ପ୍ରତିଷ୍ଠିତ ପୂଜା ମଣ୍ଡପରେ ଜୋରସୋରରେ ଚାଲିଛି । ଚଳିତ ବର୍ଷ ବଡ଼ଗଡ଼ରେ ରାଜଧାନୀର ସବୁଠୁ ବଡ଼ ଗଣେଶ ମୂର୍ତ୍ତି ତିଆରି ହେବ । ଯାହାର ଉଚ୍ଚତା ୫୧ ଫୁଟ୍ ରହିବା ନେଇ କହିଛନ୍ତି ଆୟୋଜକ ।