ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଆସିଷ୍ଟାଣ୍ଟ ସ୍ଵାତି ସୁଚରିତା

ଛତ୍ରପୁର: ଘର ପଟ୍ଟା କରେଇଦେବାକୁ କହି ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଛତ୍ରପୁର ତହସିଲ କାର୍ଯ୍ୟାଳୟର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ସ୍ଵାତି ସୁଚରିତା ପାତ୍ର | ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ବ୍ରହ୍ମପୁର ଭିଜିଲାନ୍ସ ଟିମ ମାଡି ବସିଥିଲା |

ମିଳିଥିବା ସୂଚନା ମୁତାବକ ଚାଷ ଜମିର କିସମ ପରିବର୍ତ୍ତନ ସହ ଘର ପଟ୍ଟା ଦେବା ପାଇଁ ଆଜି ସ୍ଵାତି ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ | ଏନେଇ ବ୍ୟକ୍ତିଜଣକ ଭିଜିଲାନ୍ସ ଟିମକୁ ସୂଚନା ଦେଇଥିଲେ | ଏହାପରେ ସ୍ଵାତି କେମିକାଲ ବୋଳା ହୋଇଥିବା ଟଙ୍କା ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା | ଏବେ ସ୍ଵାତିଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ଘର ସମେତ ତିନୋଟି ଠିକଣାରେ ଚଢ଼ାଉ ଜାରି ରହିଛି |