ପରୀକ୍ଷା ଚଡ଼କ ପକାଇ ଖସିଯାଉଛି ହରେଶ୍ୱର ଦେବ ଧନ୍ଦାମୂଳକ କଲେଜ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦପୁର ବ୍ଲକର ପଣସପଦାରେ…

ପଣସପଦା: ପୁରୀ ଜିଲ୍ଲା କୃଷ୍ଣପ୍ରସାଦପୁର ବ୍ଲକର ପଣସପଦାରେ ପ୍ରତିଷ୍ଠିତ ହରେଶ୍ୱର ଦେବ ଧନ୍ଦାମୂଳକ ଶିକ୍ଷା କଲେଜରେ ଏକାଧିକ ଅବ୍ୟବସ୍ଥା ଦେଖାଦେଇଛି । କଲେଜର ଦୁର୍ବଳ ଭିତିଭୂମି ପ୍ରତି ଦୃଷ୍ଟି ନଦେଇ ପରିଚାଳନା କମିଟି ପିଲାଙ୍କଠାରୁ ନାମ ଲେଖା ଆଳରେ ଟଙ୍କା ଲୁଟି ଚାଲିଛି । ୨୦୨୧-୨୨ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଏବେ ବଡ଼ଚିନ୍ତାରେ ପଡ଼ିଛନ୍ତି । କଲେଜର ରାଜନୀତି ବିଜ୍ଞାନ, ଇତିହାସ, ଅର୍ଥନୀତି, ଇଂରାଜୀ, ଓଡ଼ିଆ ପ୍ରଭୃତି ବିଭାଗରେ ଜଣେ ମାତ୍ର ଶିକ୍ଷକ ଥିବାରୁ ସିଲାବସ୍‌ ଅନୁସାରେ ଅଧ୍ୟାପନା ପଛେଇ ଯାଇଛି ।
କଲେଜରେ ନିୟମିତ ଅଧ୍ୟାପକ ଅଧ୍ୟାପିକା ନ ଥିବାବେଳେ ପିଲାଙ୍କ ନାମ ଲେଖାଇ ଚୁପଚାପ ବସିଯାଇଛନ୍ତି ଅଧ୍ୟ ମହୋଦୟ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅଧ୍ୟାପକ ନିଯୁକ୍ତି ପ୍ରତି ଦୃଷ୍ଟି ଦିଆଯାଉନି । କରୋନା ମହାମାରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ କ୍ଷତିଗ୍ରସ୍ତ କରିଛି । କଲେଜରେ ଅଧ୍ୟାପକ ଅଭାବ । ଗ୍ରନ୍ଥାଗାରରେ ଆବଶ୍ୟକ ପରିମାଣର ବହି ନାହିଁ । କ୍ରୀଡ଼ା ଉପକରଣ ନାହିଁ । ଏଭଳି ଦୟନୀୟ ସ୍ଥିତି ଭିତରେ କଲେଜକୁ ସ୍ୱୀକୃତି ମିଳିବା ଆଉ ଏକ ବିରାଟ ପ୍ରଶ୍ନ ।

ବିଶ୍ୱବିଦ୍ୟାଳୟରେ ପିଜି କରୁଥିବା କିଛି ଛାତ୍ରଛାତ୍ରୀଙ୍କୁ ଆଣି ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଖସିଯିବା କଲେଜ ପରିଚାଳନା କମିଟିର ଆଉ ଏକ ଠକାମି । ପୁରୀ ସଦର ମହକୁମାଠାରୁ କୋଣଠେସା ହୋଇ ରହିଥିବା ଏହି କଲେଜ ଉପରେ ଶିକ୍ଷା ଅଧିକାରୀମାନଙ୍କର ଦୃଷ୍ଟି ପଡୁନାହିଁ । ଫଳରେ ଛାତ୍ରଛାତ୍ରୀଙ୍କୁ ଡରାଇ ଧମକାଇ କଲେଜ ପାଣ୍ଠିକୁ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରାଯାଉଛି ।