ଜାନୁଆରୀ ୬ ତାରିଖରୁ ଜୟନ୍ତଗିରି କୁମ୍ଭମେଳା

କାହ୍ନାବାବାଙ୍କ ପୌରୋହିତ୍ୟରେ ଯାଜପୁର ଜିଲ୍ଲା….

ଧର୍ମଶାଳା: କାହ୍ନାବାବାଙ୍କ ପୌରୋହିତ୍ୟରେ ଯାଜପୁର ଜିଲ୍ଲା କଂଟିଗଡ଼ିଆ ନିକଟରେ ଆରମ୍ଭ ହେବାକୁ ଯାଉଛି ଜୟନ୍ତଗିରି କୁମ୍ଭମେଳା । ଜାନୁଆରୀ ୬ ତାରିଖରୁ ତିନିଦିନ ପାଇଁ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସନ୍ଥ ସମ୍ମିଳନୀ । ଜୟନ୍ତ ଆଶ୍ରମ ଓ ତା’ର ଆଖପାଖରେ ବସବାସ କରୁଥିବା ଶ୍ରଦ୍ଧାଳୁମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ କୁମ୍ଭମେଳା ଓ ସନ୍ଥ ସମ୍ମିଳନୀକୁ ସଫଳ କରିବା ପାଇଁ ଆବଶ୍ୟକ ମୁତାବକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଅଚ୍ୟୁତାନନ୍ଦ ମାଳିକାରେ ଜୟନ୍ତଗିରି ଆଶ୍ରମ ସଂପର୍କରେ ବର୍ଣ୍ଣନା କରାଯାଇଛି । ଆଶ୍ରମର ପ୍ରତିଷ୍ଠାତା କାହ୍ନାବାବା (ଶ୍ରୀଧର ଦାସ) ମାଳିକା ବଚନକୁ ଉଦ୍ଧାର କରି କହନ୍ତି, ‘ଯାଜନଗ୍ର ପଂଚକୋଷୀ କ୍ଷୀରନଦୀ ଧାର, ହରିହର କ୍ଷେତ୍ର ମଧ୍ୟେ ଜନ୍ମିଲେ ଶ୍ରୀଧର । ତା’ପରେ ସାଧନା କେତେ କରନ୍ତି ଜଗତେ, ଯୁବାଅବସ୍ଥା ଖେଳାଲୀଳା ଜୟନ୍ତ ପର୍ବତେ । ପଂଚକୋଶୀ ଛତିଆର ପାଶ୍ୱର୍ର ନିକଟେ, ଭକ୍ତଭଗବାନ ଏଠି ଅପୂର୍ବ ମିଳନ, ନାମକୁ ଚିନ୍ତନ କଲେ ଜୀବ ହୁଏ ଧନ୍ୟ । କଳି କଳା ହେବ ଧଳା ଆସି ପହଂଚିଲା ଦିନ । ତୁମ୍ଭେ ଆଦି ତୁମ୍ଭେ ଅନ୍ତ ତୁମେ ମହାମୟ, ଜନ୍ମ ଦିଅ ମୁକ୍ତି ଦିଅ ସଭିଙ୍କର ପ୍ରିୟ । ବିମ୍ବାଧର ଇଛା ତା’ର ପାଇବାକୁ ତବ ଆଶ୍ରୟ ।’ ଗୁପ୍ତଗଙ୍ଗୋତ୍ରୀ’ର ଶାଖା ଗୁପ୍ତ ଗଣ୍ଡୁକି (ଗେଙ୍ଗୁଟି ନଦୀ) ଅବବାହିକାରେ ଅବସ୍ଥିତ ଜୟନ୍ତଗିରି ଆଶ୍ରମରେ ସମ୍ମିଳିତ ସାଧୁସନ୍ଥଙ୍କ ଆଶୀର୍ବାଦ ପାଇଁ ସମାଜର ବିଭିନ୍ନ ବର୍ଗର ଶ୍ରଦ୍ଧାଳୁମାନେ ଏକଜୁଟ ହେବାର ବନ୍ଦୋବସ୍ତ କରାଯାଇଛି ।

ସୂଚନା ମୁତାବକ ୫ ତାରିଖ (ଗୁରୁବାର) ଦିନ ରାତି ଆଠଟାରେ ଅଙ୍କୁରାରୋପଣ କରାଯିବ । ୬ ତାରିଖ (ଶୁକ୍ରବାର) ସକାଳ ସାଢେ଼ ସାତଟାରେ ଜଳଯାତ୍ରା, ମଧ୍ୟାହ୍ନ ୧୨ଟାରେ ପୂଜାରମ୍ଭ ଓ ଅପରାହ୍ଣ ତିନିଟାରେ ଅଗ୍ନିସ୍ଥାପନ କରାଯିବ । ୭ ତାରିଖ (ଶନିବାର) ସକାଳ ୭ଟା ୪୦ ମିନିଟରେ ସନ୍ଥମାନଙ୍କ ସାହିସ୍ନାନ ଅନୁଷ୍ଠିତ ହେବ । ମାଳିକାରେ ଗୁପ୍ତ ଗଣ୍ଡୁକି ଭାବେ ପରିଚିତ ବେଣାପୁର ଗେଙ୍ଗୁଟି ନଦୀରେ ଦେଶର ବିଭିନ୍ନ ସ୍ଥାନରୁ ଆମନ୍ତ୍ରିତ ସାଧୁସନ୍ଥମାନେ ପବିତ୍ର ବୁଡ଼ ପକାଇବେ । ୮ ତାରିଖ (ରବିବାର) ସକାଳ ୭ଟା ୪୦ ମିନିଟରୁ କର୍ମାରମ୍ଭ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମ୍ପାଦନ ହେବ ।