ଲଘୁଚାପ ପ୍ରଭାବ: ୨ ଦିନଯାଏଁ ପ୍ରବଳ ବର୍ଷା ସଂଭାବନା

ଭୁବନେଶ୍ବର (ଏସ୍ ନ୍ଯୁଜ): ବର୍ଷାରେ ଭିଜିବ ଦୁର୍ଗାପୂଜା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ ମାର୍କଡ୍ ଲୋ ପ୍ରେସର ଏବେ ଗଭୀର ଘନୀଭୂତ ହୋଇଛି । ଏହା ଉତର ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ତଥା ଦକ୍ଷିଣ ଓଡିଶା , ଉତ୍ତର ଆନ୍ଧ୍ର ଉପକୂଳରେ ଏହି ଲଘୁଚାପ ଏବେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଲଘୁଚାପ ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୫.୮ କିମି ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ବ୍ୟାପି ରହିଛି । ଆଗାମୀ ୪୮ ଘଣ୍ଟାରେ ଉତର, ଉତର-ପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳ ଦେଇ ଉତର ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ଗତି କରିବାର ସଂଭାବନା ରହିଛି । ଏହା ଆଗାମୀ ୧୨ ଘଂଟାରେ ଅବପାତ ଏବଂ ପରବର୍ତି ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବାର ସଂଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଲଘୁଚାପ ୱେଲମାର୍କର ରୂପ ନେଇ ଅଧିକ ଘନୀଭୂତ ହେଉଥିବାରୁ ୬ ଜିଲ୍ଲାକୁ ଅଂରେଜ ଓ ୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୨ ତାରିଖରେ ମୟୂରଭଞ୍ଜ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୩ ରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜ ଓ ଢ଼େଙ୍କାନାଳକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଛି ।