ଐତିହାସିକ ଠକ ନବୀନ ପଟ୍ଟନାୟକ: ଆଦିବାସୀଙ୍କୁ ଜମିହରା କରିଛନ୍ତି

ନିକଟରେ ପ୍ରକାଶିତ ସିଏଜି ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସାଢେ଼ ୨ ଲକ୍ଷ ଆଦିବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି । ଆଦିବାସୀଙ୍କ ସ୍ୱାର୍ଥ, ସୁରକ୍ଷା ଓ ବିକାଶ ପାଇଁ ସରକାର କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରିନାହାନ୍ତି । ସିଏଜି ରିପୋର୍ଟ ମୁତାବକ ନବୀନ ପଟ୍ଟନାୟକଙ୍କ ଅମଳରେ ଆଦିବାସୀମାନେ ୨.୧ ଲକ୍ଷ ହେକ୍ଟର ଜମିର ମାଲିକାନା ହରାଇଛନ୍ତି । ୨୦୦୫ରୁ ୨୦୧୫ ମସିହା ଭିତରେ ରାଜ୍ୟର ଆଦିବାସୀଙ୍କ ମାଲିକାନାରେ ଥିବା ଜମିର ପରିମାଣ ୧୭.୪୮ ଲକ୍ଷ ହେକ୍ଟରରୁ କମିଯାଇ ୧୫.୩୮ ଲକ୍ଷ ହେକ୍ଟରରେ ପହଂଚିଛି । ସବୁଠାରୁ ଉଦବେଗର ବିଷୟ ହେଉଛି ଆଦିବାସୀଙ୍କ ଜମିର ହିସାବ ରଖିବା ପାଇଁ ଜିଲ୍ଲା କି ତହସିଲ ସ୍ତରରେ କୌଣସି ଆଗ୍ରହ ଦେଖାଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟର ମୋଟ ଜନସଂଖ୍ୟାର ୨୨.୮୫ ଭାଗ ଅର୍ଥାତ ୯୫.୯୧ ଲକ୍ଷ ହେଉଛନ୍ତି ଆଦିବାସୀ । ରାଜ୍ୟର ୩୧୪ ବ୍ଲକ ଭିତରୁ ୧୧୯ଟି ବ୍ଲକକୁ ସିଡ୍ୟୁଲ ଏରିଆ ଭାବେ ଚିହ୍ନଟ କରାଯାଇଛି । ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର ଉପରେ କଟକଣା ଜାରି କରାଯାଇଛି । ତଥାପି ତାହାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉ ନଥିବା ଜଣାପଡେ଼ ।

ଅଣଆଦିବାସୀଙ୍କ କବଜାରେ ଥିବା ଜମି ଏ ଯାଏ ମୂଳ ଆଦିବାସୀ ମାଲିକଙ୍କ ପାଖକୁ ଫେରିଲାନି । ଜମି ଫେରସ୍ତ କରିବା ପାଇଁ ସେଭଳି କୌଣସି ସମୟ ଧାର୍ଯ୍ୟ କରାଯାଇ ନଥିବାରୁ ଆଦିବାସୀ ମାଲିକମାନେ ସେମାନଙ୍କ ଅଧିକାରରୁ ବଂଚିତ ହୋଇଛନ୍ତି ବୋଲି ସିଏଜି ତାଙ୍କ ଅଡିଟ୍‌ ରିପୋର୍ଟରେ ଜଣାଇଛନ୍ତି ।