ରଙ୍ଗ ରହିଲେ ହେଲା: ଅଟଳ ରହିବେ ବସ୍‌ ମାଲିକ?

ରାଜ୍ୟ ସରକାରଙ୍କ ତୋଡ଼ ଭାଙ୍ଗିବାକୁ ବସ୍‌ ମାଲିକମାନେ ୨୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ୍‌ ଚଲାଇବେନି । କିନ୍ତୁ ସରକାର ଯଦି ବସ୍‌ ରୁଟ୍‌ ଅନୁମତି ବାତିଲ ଧମକ ଦିଅନ୍ତି, ତେବେ କରଜ କରି ବସ୍‌ କିଣିଥିବା ଲୋକମାନଙ୍କ ଭେଳା ବୁଡ଼ିଯିବ । ବସ୍‌ ମାଲିକ ମହାସଂଘ ଆଗପଛ ବିଚାର କରି ଧର୍ମଘଟ ଡାକରା ଦେଇଛନ୍ତି ତ? ଯଦି ଡାକରା ଦେଇଛନ୍ତି, ତେବେ ଆପଣା ଜିଦରେ ଅଟଳ ରହିବେ ତ? ସରକାରଙ୍କ ଯେକୌଣସି କୋରଡ଼ା ମାଡ଼କୁ ସାମ୍ନା କରିବାର ସତ୍‌ ସାହସ ରଖିଛନ୍ତି ତ?

ଇଏ ସେହି ସରକାର ଯେ ଟାଟା କମ୍ପାନୀର ସ୍ୱାଭିମାନ ରକ୍ଷା କରିବା ପାଇଁ ନିରୀହ ସରଳ ଆଦିବାସୀଙ୍କ ଉପରେ ଗୁଳି ଚଳାଇଥିଲା । ମୃତ ଆଦିବାସୀଙ୍କ ହାତ ପାପୁଲି କାଟି ନେଇ ଯାଇଥିଲା । ବିଜେଡି ସରକାରକୁ ସାଢେ଼ ଚାରିକୋଟି ଲୋକଙ୍କ ସରକାର କହି ଲଜ୍ଜା ଦିଅନ୍ତୁନି । ଶିଳ୍ପପତିଙ୍କ ସଖି କଣ୍ଢେଇ ନବୀନ ପଟ୍ଟନାୟକଙ୍କ ନବୀନ ଓଡ଼ିଶାରେ ବିକାଶ କହିଲେ ବିଜେଡି ନେତା ଓ ସମର୍ଥକଙ୍କ ବିକାଶକୁ ବୁଝାଉଛି । ବସ୍‌ ମାଲିକମାନେ ଯେତେଦିନ ଯାଏ ନବୀନଙ୍କ ଗୁଣ ଗାଉଥିବେ, ସେତେଦିନ ସୁନାପିଲା ବୋଲାଇବେ ।
ଧର୍ମଘଟ ଡାକରା ଦେଇ ସେମାନେ ଜମାରୁ ଭଲ କରିନାହାନ୍ତି । ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳ ଘରୋଇ ମାଲିକଙ୍କୁ ଅଲକ୍ଷ୍ମୀ କରିଦେବାର ଆଶଙ୍କା ସୃଷ୍ଟି କରିଛି ।

ଘରୋଇ ବସ୍‌ ମହାସଂଘ ନିଷ୍ପତିକୁ ସାଧାରଣ ଜନତା ସହଜରେ ଗ୍ରହଣ କରିନାହାନ୍ତି । ସରକାର ଓ ବସ୍‌ ମାଲିକଙ୍କ କଳିର କୁପରିଣତି ଭୋଗିବାକୁ ଜନତା ନାରାଜ । ପାର୍ବଣ ଋତୁରେ ବସ୍‌ ମାଲିକମାନେ କ୍ଷତି ସହିବାକୁ ରାଜି । ମାତ୍ର ଜନତା କଷ୍ଟ ଭୋଗିବାକୁ ରାଜି ନୁହନ୍ତି । ସାଧାରଣ ଜନତା ସରକାରଙ୍କ ଜିଦକୁ ସମର୍ଥନ କଲେ ଚଳିବନି । ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳ ଯୋଜନାରେ ବଡ଼ ବସ୍‌ ସେବା ପ୍ରଦାନକାରୀ କମ୍ପାନୀ ଲାଭାନ୍ୱିତ ହେବେ, ଛୋଟ ଛୋଟ ଘରୋଇ ବସ୍‌ ମାଲିକମାନେ କ୍ଷତିଗ୍ରସ୍ତ ହେବେ । ନବୀନବାବୁ ଝିଂଟିକା ମାରି ବଣି ପୋଷୁଛନ୍ତି ।

ସୂଚନା ଯୋଗ୍ୟ, ବସ୍‌ ଧର୍ମଘଟ କୁ ସ୍ଥଗିତ ରଖିବା ଲାଗି ଘରୋଇ ବସ୍ ମାଲିକ ସଂଘ ଗତ ସନ୍ଧ୍ୟାରେ ଘୋଷଣା କରିଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଆସନ୍ତା ୩୧ ଯାଏ ଧର୍ମଘଟ ସ୍ଥଗିତ ରହିଲା ବୋଲି ସଂଘ ପକ୍ଷରୁ ସୂଚନା। ଏହି ଘୋଷଣା ମାତ୍ରେ ରାତିରୁ ହିଁ ବସ୍ ଚଳାଚଳ ସ୍ବାଭାବିକ ହୋଇଯାଇଛି। ବିଭିନ୍ନ ସ୍ଥାନରୁ ଦୂରଗାମୀ ବସ୍‌ଗୁଡ଼ିକ ଯାତ୍ରା ଆରମ୍ଭ କରିଛନ୍ତି। ପାର୍ବଣ ବେଳେ ଦିନତମାମ କଲବଲ ହୋଇଥିବା ଯାତ୍ରୀମାନେ ରାତିରେ ଆଶ୍ବସ୍ତି ଲାଭ କରିଛନ୍ତି।