ହସ୍ପିଟାଲ ଉପରେ ହମ୍‌ଲାକୁ ନିନ୍ଦା କଲେ ମୋଦିଜୀ

ଗୁରୁବାର (୧୯ ଅକ୍ଟୋବର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମୁଦ ଆବାସଙ୍କ ସହିତ କଥା ହୋଇଛନ୍ତି । ଗାଜାସ୍ଥିତ ଅଲ ଅହଲି ହସ୍ପିଟାଲରେ ନିରୀହ ଜନତାଙ୍କ ମୃତ୍ୟୁକୁ ପ୍ରଧାନମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି । ପାଲେଷ୍ଟାଇନ ଜନତାଙ୍କୁ ସବୁ ପ୍ରକାରର ସାହାଯ୍ୟ ସହଯୋଗ କରିବାକୁ ଭାରତ ପ୍ରସ୍ତୁତ ବୋଲି ମୋଦିଜୀ ଜଣାଇଛନ୍ତି ।

ହସାସ-ଇସ୍ରାଏଲ୍‌ ଲଢେ଼ଇକୁ ୧୩ ଦିନ ଅତିକ୍ରମ କଲାଣି । ଏ ଯାବତ୍‌ ଗାଜାରେ ୩୭୮୫ ଲୋକ ମରିଛନ୍ତି । ସେମାନଙ୍କ ଭିତରୁ ୧୫୨୪ କୋମଳମତି ପିଲା ଥିଲାବେଳେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୨୦ । ହମ୍‌ଲାରେ ୧୨ ହଜାର ୪୯୩ ଲୋକ ଖଣ୍ଡିଆ ଖାବରା ହୋଇଛନ୍ତି । ଆହତଙ୍କ ଭିତରୁ ୪୦୦ ପିଲା ଅଛନ୍ତି ।

୧୭ ଅକ୍ଟୋବର ରାତିରେ ଗାଜା ହସ୍ପିଟାଲ ଉପରେ ରକେଟ୍‌ ମାଡ଼ ହୋଇଥିଲା ଯାହା ଫଳରେ ଅନ୍ୟୁନ ୫୦୦ ଲୋକ ପ୍ରାଣ ହରାଇଥିଲେ । ଉକ୍ତ ହମ୍‌ଲାକୁ କେନ୍ଦ୍ର କରି ହମାସ୍‌ ଓ ଇସ୍ରାଏଲ ପରସ୍ପରକୁ ଦୋଷାରୋପ କରିଛନ୍ତି । ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ମତରେ ହମାସ୍‌ ପକ୍ଷରୁ ଇସ୍ରାଏଲ ଉଦ୍ଦେଶ୍ୟରେ ଛଡ଼ା ଯାଇଥିବା ରକେଟ୍‌ ବାଟବଣା ହୋଇ ଗାଜା ହସ୍ପିଟାଲକୁ କ୍ଷତିଗ୍ରସ୍ତ କରିଥିଲା । ଆମେରିକା କହିଛି ଯେ ଇସ୍ରାଏଲ୍‌ କୌଣସି ପରିସ୍ଥିତିରେ ହସ୍ପିଟାଲ ଉପରେ ରକେଟ୍‌ ମାଡ଼ କରିପାରିବନି ।