ଶକ୍ତିପୀଠ ଆରାଧନା: କାଳିଘାଟ ମନ୍ଦିରରେ ଛେଳି ବଳି ଦିଆଯାଏ

ଦେବୀ ସତୀଙ୍କ ଦଶମହାବିଦ୍ୟା ଭିତରୁ ପ୍ରଥମ ମହାବିଦ୍ୟା କାଳୀଙ୍କ ପାଇଁ ସମର୍ପିତ । କୋଲକାତାର କାଳିଧାମରେ ଦେବୀ କାଳୀ ଉଗ୍ର ରୂପରେ ଦର୍ଶନ ଦିଅନ୍ତି । ଦେବୀଙ୍କ ପ୍ରତିମା କଳାପଥରରେ ତିଆରି । ଦେବୀଙ୍କର ତିନୋଟି ବଡ଼ ବଡ଼ ଆଖି ଅଛି । ସୁନାର ଲମ୍ବା ଜିଭଟି ପାଟି ଭିତରୁ ବାହାରି ଆସିଛି । ମା’ କାଳୀଙ୍କର ଚାରିଟି ସୁନାର ହାତ । ଉକ୍ତ ଶକ୍ତିପୀଠରେ ମା’ ସତୀଙ୍କର ପାଦ ଅଙ୍ଗୁଳି ପଡ଼ିଥିଲା ବୋଲି ଶୁଣିବାକୁ ମିଳେ ।

ନବରାତ୍ରି ଅବସରରେ ଦେବୀଙ୍କ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ମନ୍ଦିରଟିର ଆଧୁନିକୀକରଣ ଚାଲିଛି । ପୂର୍ବରୁ ମନ୍ଦିର ଭିତରେ ବହୁ ପୂଜା ଦୋକାନ ରହିଥିଲା ଯାହା ଏବେ ବାହାରକୁ ଚାଲିଯାଇଛି ।

ପଶ୍ଚିମବଙ୍ଗରେ ୨୦ ତାରିଖରୁ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ପୂଜାର୍ଚ୍ଚନା ଆରମ୍ଭ ହେବ । ମାତ୍ର କାଳିଧାମରେ ସକାଳ ୪ଟାରୁ ମନ୍ଦିର ଖୋଲେ । ସାଧାରଣ ଜନତା ୫ଟା ୩୦ ମିନିଟରୁ ମା’ଙ୍କ ଦର୍ଶନ କରିଥାନ୍ତି । ରାତି ୯ଟା ପର୍ଯ୍ୟନ୍ତ ମା’ଙ୍କ ଭିନ୍ନ ଭିନ୍ନ ନୀତିପାଳନ କରାଯାଏ ।

ପୂଜକଙ୍କ ସୂଚନା ମୁତାବକ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମନ୍ଦିରରେ ସ୍ୱତନ୍ତ୍ର ପୂଜା ବିଧି ପାଳନ କରାଯାଏ । ଉକ୍ତ ଚାରିଦିନ ମା’ଙ୍କ ନିକଟରେ କେବଳ ମାନବ କଲ୍ୟାଣ ପାଇଁ ‘କଲ୍ୟାଣ ପୂଜା’ କରାଯାଏ । ସପ୍ତମୀ, ଅଷ୍ଟମୀ ଓ ନବମୀ ଦିନ ରାତି ପ୍ରାୟ ଦୁଇଟାରେ ତିନି ଘଂଟା ଧରି କଲ୍ୟାଣ ପୂଜା ଚାଲିବ ।

ସପ୍ତମୀ ଦିନ ସକାଳେ କଦଳୀ ପତ୍ରକୁ ପ୍ରତିମା ପାଖରେ ରଖାଯାଏ । ଉକ୍ତ ପତ୍ରକୁ ଗଣପତିଙ୍କ ପତ୍ନୀ ରୂପେ ପୂଜା କରାଯାଏ । ପୂଜାରୀ ଦୀପ ଜାଳିବା ସମୟରେ ସତର୍କତା ଅବଲମ୍ବନ କରିଥାନ୍ତି । ଦୀପ ଲିଭିଗଲେ, ତାହା ଅଶୁଭ ବୋଲି ବିଚାର କରାଯାଏ । ଅଷ୍ଟମୀ, ନବମୀ ଦିନ ସନ୍ଧି ପୂଜା ହୁଏ । ନବମୀ ପୂଜା ପରେ ମନ୍ଦିରରେ ଆନୁଷ୍ଠାନିକ ଭାବେ ତିନୋଟି ଛେଳିକୁ ବଳି ଦିଆଯାଏ । ବଳିମାଂସକୁ ମହାପ୍ରସାଦ ମଣି ଭକ୍ତଙ୍କ ମଧ୍ୟରେ ବିତରଣ କରି ଦିଆଯାଏ ।

ନବରାତ୍ରିର ଶେଷଦିନ ମନ୍ଦିର ଭିତରେ ଥିବା ରାଧାକୃଷ୍ଣଙ୍କୁ ମା’ଙ୍କ ସମୀପକୁ ଅଣାଯାଇ ବିଶେଷ ପୂଜା କରାଯାଏ । ରାଧାକୃଷ୍ଣଙ୍କ ପାଇଁ ଶାକାହାରୀ ଭୋଜନ ତିଆରି କରାଯାଏ । ଦଶମୀ ଦିନ ଦିନ ୧୨ଟାରେ ମହିଳାମାନେ ମନ୍ଦିର ଗର୍ଭଗୃହରେ ସିନ୍ଦୁର ଖେଳ ଖେଳନ୍ତି । ସେହି ସମୟରେ ପୁରୁଷମାନେ ମନ୍ଦିର ଭିତରେ ରୁହନ୍ତି ନାହିଁ ।