ନବୀନଙ୍କ ଅମଳରେ ପ୍ରଚାର ଜୋର, କାମ ଅଧାପନ୍ତରିଆ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ସବୁ ଯୋଜନାକୁ….

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ସବୁ ଯୋଜନାକୁ ତୁଚ୍ଛାଟାରେ ଐତିହାସିକ କହି ଜୋରଦାର ପ୍ରଚାର କରିବା ଏକ ଅଭ୍ୟାସରେ ପରିଣତ ହୋଇଛି । ଆଦର୍ଶ ବିଦ୍ୟାଳୟ ଆଳରେ ଛାତ୍ରଛାତ୍ରୀଙ୍କୁ ମରଣମୁହଁରେ ପକାଇବା, ମଧ୍ୟାହ୍ନଭୋଜନ ଆଳରେ ପିଲାଙ୍କୁ ମଲା ଝିଟିପିଟି, ଅସରପା ଭଳି କୀଟପତଙ୍ଗ ଖୁଆଇବା କାମ ନବୀନ ପଟ୍ଟନାୟକଙ୍କ ଶାସନରେ ଦେଖିବାକୁ ମିଳିଛି । ରାଜକୋଷରୁ ବିପୁଳ ଟଙ୍କା ବିନିମୟରେ ଦଦରା ରାସ୍ତା, ଦଦରା ସେତୁ ଓ ଦଦରା ପୋଲ ନିର୍ମାଣ କରାଯାଉଛି । କେତେକ ସେତୁ ତିଆରି ଚାଲିଥିଲା ବେଳେ ଭୁଶୁଡ଼ି ପଡୁଛି । ଫ୍ଲାଇ ଓଭର ଭୁଶୁଡ଼ିଯାଉଛି ।
ଦଦରା ବିକାଶରୁ ସୁଫଳ ଆଶା କରିବା ବୋକାମି । ବଡ଼ଚଣା ଓ ଧର୍ମଶାଳା ବ୍ଲକରେ ନିର୍ମାଣାଧୀନ ବୃହତ ପାନୀୟ ଜଳ ପ୍ରକଳ୍ପକୁ ଉଦାହରଣ ଦିଆଯାଉଛି । ଦୁଇଟି ବ୍ଲକର ୭୭ଟି ପଂଚାୟତବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ୨୦୧୯ ଡିସେମ୍ବରରେ ପ୍ରକଳ୍ପ କାମ ଆରମ୍ଭ କରାଗଲା । ତିନିବର୍ଷ ଭିତରେ ଉକ୍ତ ପ୍ରକଳ୍ପ କାମ ସରିଲାନି । ନିର୍ମାଣ ଅବଧିକୁ ଏକାଧିକବାର ବୃଦ୍ଧି କରାଯିବା ପରେ ମଧ୍ୟ ଆଜି ସୁଦ୍ଧା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିିଳିଲାନି । ଠିକାଦାର ଓ ରାଜନେତାଙ୍କ ସଲାସୁତୁରାରେ ପ୍ରକଳ୍ପ କାମ ଢିଲାପଡ଼ିଛି । କୁହାଯାଉଛି, ଠିକାଦାର ଜଣକ କ୍ଷମତାସୀନ ଦଳର ହୋଇଥିବାରୁ କାହାରି ପାଟି ଫିଟୁନି ।
ପ୍ରକଳ୍ପର ୮୦ ଭାଗ ସରିଛି । ବାକି ୨୦ ଭାଗ ସରିବା ବେଳକୁ ସାଧାରଣ ନିର୍ବାଚନ ଶେଷ ହୋଇଯାଇଥିବ । ବଡ଼ଚଣା ବ୍ଲକରେ ୩୭ଟି ମୁଣ୍ଡଉପର ଟାଙ୍କି ଭିତରୁ ୧୬ଟି ସଂପୂର୍ଣ୍ଣ ହୋଇଛି । ଧର୍ମଶାଳା ବ୍ଲକରେ ୭୫ ଭାଗ କାମ ସରିଛି । ନିର୍ମାଣ କାମ ଅତ୍ୟନ୍ତ ନିମ୍ନମାନର ବୋଲି ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି । ରାଜ୍ୟ ରାଜନୀତିରେ ଯାଜପୁର ଜିଲ୍ଲାର ପତିଆରା ଯଥେଷ୍ଟ ଅଧିକ । ମାତ୍ର ସେହି ଜିଲ୍ଲାର ବିକାଶମୂଳକ କାମରେ ବ୍ୟାପକ ହେରଫେର ଚାଲିଛି । ରାଜ୍ୟ ରାଜକୋଷକୁ ଯାଜପୁର ଜିଲ୍ଲାର ଅବଦାନ କିଛି କମ୍‌ ନୁହେଁ । ହେଲେ ଜିଲ୍ଲାବାସୀଙ୍କୁ ଏ ଯାଏ ବିଶୁଦ୍ଧ ପାନୀୟ ଜଳ ଟୋପେ ମିଳିଲାନି ।
ନବୀନ ପଟ୍ଟନାୟକଙ୍କ କୋଉ ପାରିବାପଣିଆ ଦେଖି ବିଭିନ୍ନ ସଂସ୍ଥା ପୁରସ୍କୃତ କରୁଛନ୍ତି; ତାହା ଏ ଯାଏ ରାଜ୍ୟବାସୀଙ୍କୁ ଅଜଣା । ନାହିଁ ନାହିଁରେ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର । ଶୁଣିବାକୁ ମିଳୁଛି, ଗୋଟିଏ ଗଣମାଧ୍ୟମ ସଂସ୍ଥା ୧୦୦ କୋଟି ଟଙ୍କାର କାମ ପାଇଥିବାରୁ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ଶାସକ ପୁରସ୍କାର ପ୍ରଦାନ କରିଥିଲା । ତାହା କ’ଣ ସତ?