‘ଉଭୟ ବିଜେପି ଓ ବିଜେଡି ଓଡ଼ିଶା ପାଇଁ ଅଭିଶାପ’

ଭୁବନେଶ୍ୱର: ‘ଭୁବନେଶ୍ୱର-ରାଉରକେଲା ବିମାନ ସେବା’ ବିଜ୍ଞାପନକୁ କେନ୍ଦ୍ର କରି ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ରର ମୋଦୀ ସରକାର ପରସ୍ପରକୁ ସମାଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହଳିଆ ଅଶୋକ ପଣ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହଳିଆ ଧର୍ମେନ୍ଦ୍ର ପ୍ରଧାନ ପରସ୍ପରକୁ ଦାୟୀ କରୁଛନ୍ତି । ବଡ଼ପଣିଆ, ହୀନମନ୍ୟତା ଭଳି ନାନା ଶବ୍ଦ ବ୍ୟବହାର କରୁଛନ୍ତି । ଉଭୟ ସରକାର ଯାହା ବି କରୁଛନ୍ତି ଲୋକଙ୍କ ଝାଳବୁହା ଧନକୁ ବ୍ୟବହାର କରୁଛନ୍ତି । ଲୋକଙ୍କ କଲ୍ୟାଣ ପାଇଁ କୌଣସି କ୍ଷମତାସୀନ ଦଳ ଆପଣା ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରୁନାହିଁ । କୌଣସି ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ସେମାନଙ୍କ ବାପାଙ୍କ ଧନକୁ ବିନିଯୋଗ କରୁନାହାନ୍ତି ।

କେନ୍ଦ୍ର ଓ ରାଜ୍ୟର ବିକାଶ କାର୍ଯ୍ୟ ପାଇଁ ଯାହା ବି ଖର୍ଚ୍ଚ ଚାଲିଛି, ସେସବୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଚାଲିଛି । କେନ୍ଦ୍ରରୁ ଯାହା ଖର୍ଚ୍ଚ ଆସୁଛି, ତାହା ୧୩୫ କୋଟି ଜନତାଙ୍କ ଝାଳବୁହା ଟଙ୍କା । ରାଜ୍ୟ ଯାହା ଖର୍ଚ୍ଚ କରୁଛି, ତାହା ସାଢେ଼ ଚାରିକୋଟି ଜନତାଙ୍କ ଝାଳବୁହା ଟଙ୍କା ।
ଏପରିକି ଦେଶର ବିଶିଷ୍ଟ ଧନୀ ମୁକେଶ ଅମ୍ବାନୀ ପଇଠ କରୁଥିବା ଆୟକର ବା ବାଣିଜ୍ୟ ଟିକସ ବାବଦ ଅର୍ଥରୁ ମଧ୍ୟ ଗରିବଙ୍କ ଝାଳର ବାସ୍ନା ବାହାରୁଛି । କାରଣ ଆଜି ଦେଶ ଓ ରାଜ୍ୟର ବଡ଼ବଡ଼ ସହରାଂଚଳରେ ଯେତେ ସବୁ କୋଠାବାଡ଼ି, ଅଫିସ, ବିଳାସମୟ କୋଠା ଦିଶୁଛି, ସେଥିରେ ଖଟିଖିଆ ମଣିଷଙ୍କର ଝାଳ ମିଶିଛି । ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ତା’ ଜୀବଦଶାରେ କେବେ ଗୋଟିଏ ବିଳାସମୟ କୋଠା ତିଆରି କରିପାରିବନି । ମୁକେଶ ଅମ୍ବାନୀ ଜଣେ ସଚ୍ଚୋଟ ବ୍ୟବସାୟୀ ବୋଲି ଛାତିରେ ହାତପିଟି କହିପାରିବେନି କାରଣ ଲୋକଙ୍କ ଭଲ ଚିନ୍ତା କରୁଥିବା ବ୍ୟବସାୟୀ କେବେ ଆଂଟିଲିଆ ଭଳି ବିଳାସମୟ କୋଠା ନିର୍ମାଣ କରିପାରିବନି । ସେ ଯାହା ରୋଜଗାର କରିବ ସବୁ ତ ଗରିବ ଲୋକଙ୍କ ପଛରେ ଖର୍ଚ୍ଚ କରିବ, ଆଂଟିଲିଆ ତିଆରି କରିବା ପାଇଁ ଟଙ୍କା ଆଣିବ କୋଉଠୁ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହୀନ ମସ୍ତିଷ୍କରୁ ଫଟୋ ରାଜନୀତି ବାହାରିଛି । ସରକାରୀ ଟଙ୍କାରେ କାର୍ଯ୍ୟକାରୀ ଯୋଜନାଗୁଡ଼ିକରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ କ’ଣ ପାଇଁ? ସରକାରୀ ବିଜ୍ଞାପନରେ କେନ୍ଦ୍ର ସରକାରଙ୍କ ଲୋଗୋ ଓ ରାଜ୍ୟ ସରକାରଙ୍କ ଲୋଗୋ ରହିବା ଦରକାର । ସଂକ୍ଷେପରେ କହିଲେ, ସରକାରୀ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଫଟୋ ଲଗାଇବାର କୌଣସି ଯଥାର୍ଥତା ନାହିଁ ।

ଭଳି ବାଜେ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ, ଉଭୟ ବିଜେପି ଓ ବିଜେଡିକୁ କ୍ଷମତାଚ୍ୟୁତ କରି ଦିଆଯିବ ବୋଲି କେନ୍ଦ୍ର ପଛୁଆ ବର୍ଗ, ସଂଖ୍ୟାଲଘୁ ମହାସଂଘ (ଏନ୍‌ୟୁବିସି) ଚେତାବନୀ ଦେଇଛି ।