ସଭ୍ୟ ସମାଜକୁ ଶକ୍ତିଶାଳୀ ଚାପୁଡ଼ା: ଶିଶୁକନ୍ୟାକୁ ହତାଦର

ନାରୀଗର୍ଭରୁ ଜନ୍ମିତ ପୁରୁଷ ସମାଜ ନାରୀକୁ ଅଲୋଡ଼ା ମଣିବା ମାରାତ୍ମକ ଅପରାଧ । ଭଗବାନଙ୍କ ଅସ୍ତିତ୍ୱ ସଂପର୍କରେ ଜାଣିବାକୁ ଚାହୁଁଥିବା ବ୍ୟକ୍ତି ପ୍ରଥମେ ନିଜ ମା’ଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ । ନାରୀଙ୍କୁ ଉଚିତ ସମ୍ମାନ ଦେଉ ନଥିବା ଲୋକକୁ ୟେ ସମାଜ କେବେ ସମ୍ମାନିତ କରିନି । ଯୋଉ ପୁରୁଷ ସମାଜ ନାରୀଙ୍କୁ ମା’ ଦୁର୍ଗା, ମା’ ଲକ୍ଷ୍ମୀ, ମା’ ସରସ୍ୱତୀ ମଣି ପୂଜାର୍ଚ୍ଚନା କରିଆସୁଛି; ସେହି ସମାଜରେ ଶିଶୁକନ୍ୟାକୁ ଅଲୋଡ଼ା ମଣି ତାକୁ ଗୋଟିଏ ଅଖାରେ ପୁରାଇ ବସ୍‌ ଚକାତଳେ ରଖିବା ଆଦୌ ଉଚିତ ହୋଇନି ।

ଆଧୁନିକ ସମାଜରେ ଶିଶୁକନ୍ୟାକୁ ହତାଦର କରିବା ଘୋର ପରିତାପର ବିଷୟ । ସୂଚନା ମୁତାବକ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବସଷ୍ଟାଣ୍ଡରେ ଠିଆ ହୋଇଥିବା ଏକ ବସ ଚକାତଳୁ ୬ ମାସର ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଛି । ବସ ହେଲପର ଗୁଡୁଙ୍କର ତଡ଼ିତ ବୁଦ୍ଧିକୁ ସମସ୍ତେ ତାରିଫ କରିଛନ୍ତି । ସକାଳ ୭ଟାରେ ଧବଳେଶ୍ୱର ବସଟି ଖିଚିଂ ଅଭିମୁଖେ ଯାତ୍ରା କରିଥାନ୍ତା । ହେଲପର ଗୁଡୁ ଖାଇସାରିବା ପରେ ବସ୍‌ ଚାରିପାଖର ସ୍ଥିତି ପ୍ରତି ଟିକେ ନଜର ପକାଇବାକୁ ଯାଇଥିଲେ; କେଜାଣି କାହିଁକି ତାଙ୍କ ମନଟି କହିଲା ବସର ଚାରୋଟି ଚକାତଳେ ଟିକେ ନଜର ପକାଇବା ପାଇଁ ।

ଆଖି ବୁଲାଇ ଆଣିବା ବେଳକୁ ଗୁଡୁଙ୍କ ନଜର ପଡ଼ିଗଲା ବସ୍‌ ଚକାତଳେ ରଖାଯାଇଥିବା ଗୋଟିଏ ଅଖାଟି ଉପରେ । ଅଖାଟିକୁ ଖୋଲିଲା ବେଳକୁ କାନ୍ଦି ଉଠିଲା ଶିଶୁକନ୍ୟାଟି ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ପିଲାଟିକୁ ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିଲା । ପିଲାଟିର ଅବସ୍ଥା ଏବେ ଭଲ ଅଛି ଓ ତାକୁ କେନ୍ଦୁଝର ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି । କେଉଁ ପରିସ୍ଥିତିରେ ପଡ଼ି ପିଲାଟିର ମା’ ଅବା ସଂପର୍କୀୟ ତାକୁ ଏପରି ଅବସ୍ଥାରେ ରଖି ଚାଲିଯାଇଥିଲେ; ତା’ର କୌଣସି ଖିଅ ପୁଲିସ ହାତରେ ପଡ଼ିନି ।