ପୂରଣ ହେଲା ଆଦିବାସୀ ଝିଅ ନମିତାଙ୍କ ସ୍ବପ୍ନ

ଭୁବନେଶ୍ୱର (ଏସ୍ ନ୍ଯୁଜ) : ପ୍ରତ୍ୟେକ ଗାୟକ ଏବଂ ଗାୟିକାଙ୍କର ସ୍ବପ୍ନ ଥାଏ ସେ ଭଜନ, ଆଲବମ କି ସିନେମାରେ ହେଉ ଗୀତ ଗାଇବେ । ହେଲେ ସମସ୍ତଙ୍କ ଭାଗ୍ୟରେ ସେ ସୁଯୋଗ ଆସିନଥାଏ । ଅଧିକାଂଶ କ୍ଷେତ୍ରରେ ବଣ ମଲ୍ଲୀ ବଣରେ ଫୁଟି ବଣରେ ଝରିଯିବା ପରି ଅନେକ ପ୍ରତିଭା ପରଦା ଆଢୁଆଳରେ ରହିଯାନ୍ତି । ହେଲେ କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି । ନମିତାଙ୍କ କଣ୍ଠରେ ରେକର୍ଡ ହୋଇଛି ପ୍ରଥମ ଓଡ଼ିଆ ଭଜନ । ଆଉ ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

କୋରାପୁଟ ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡାର ଗାଁର ଆଦିବାସୀ ଝିଅ ନମିତା ମେଲେକା ।ଯେକି ସୋସିଆଲ ମିଡ଼ିଆରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ।ନମିତାଙ୍କ ଯାଦୁକରୀ କଣ୍ଠ ଓଡ଼ିଶାର ଲୋକମାନଙ୍କୁ ବେଶ ପସନ୍ଦ ଆସିବା ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ ପ୍ରଭାବିତ କରିଥିଲା । ଏହାକୁ ନେଇ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ନିଜ ଫେସବୁକ ପେଜରେ ଘୋଷଣା କରିଥିଲେ।କଥା ରଖିଛନ୍ତି ବର୍ଷା । ଆଜି ନମିତାଙ୍କ କଣ୍ଠରେ ରେକର୍ଡ କରାଯାଇଛି ତାଙ୍କର ପ୍ରଥମ ଗୀତ ।

ଲୋକପ୍ରିୟ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ୱାବଧାନରେ ରେକର୍ଡ କରାଯାଇଥିବା ଏହି ଗୀତଟି ହେଉଛି ଗୋଟିଏ ଜଗନ୍ନାଥ ଭଜନ।ବରିଷ୍ଠ ଗୀତିକାର ବିଜୟ ମଲ୍ଲ ଏହାକୁ ରଚନା କରିଛନ୍ତି ।କଟକର ସିଡିଏ ସ୍ଥିତ ପ୍ରତିଭା ଷ୍ଟଡିଓରେ ରେକର୍ଡ଼ିଂ କରାଯାଇଛି । ଏହି ଅବସରରେ ବର୍ଷା ନମିତାଙ୍କ ଗାୟିକା ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ‘ସମ୍ମାନିତା’ ପକ୍ଷରୁ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ଗୀତିକାର ବିଜୟ ମଲ୍ଲ, ରେକର୍ଡିଷ୍ଟ ସୁନ୍ଦର ଏବଂ ବ୍ୟୁଟିଫୁଲ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ ।