160×600
160×600

ମହାନଦୀ ଜଳ ବିବାଦ ମାମଲା: କମନ ଇନଫରମେସନ ଫର୍ମାଟ ଉପରେ ସହମତି ଜଣାଇଇଛି ଓଡିଶା


ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଆସେସରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କମନ ଇନଫରମେସନ ଫର୍ମାଟ(ଏକକ ସୂଚନା ସାରଣୀ) ଉପରେ ସହମତି ଜଣାଇଛି ଓଡ଼ିଶା । ଏ ନେଇ ବିଧିବଦ୍ଧ ଭାବେ ଓଡ଼ିଶା ଦ୍ୱାରା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ସେପଟେ କିନ୍ତୁ ଛତିଶଗଡ଼ କମନ ଇନଫରମେସନ ଫର୍ମାଟ ଉପରେ ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲଙ୍କୁ ମତାମତ ଜଣାଇ ନଥିବା ଜଣାପଡ଼ିଛି |

ତେବେ ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା, ଛତିଶଗଡ଼ ସମେତ ଅନ୍ୟ ପକ୍ଷଭୁକ୍ତ ରାଜ୍ୟଙ୍କ ମଧ୍ୟରେ ଦସ୍ତାବିଜ ଆଦାନ ପ୍ରଦାନ ପାଇଁ କମନ ଫର୍ମାଟ ବ୍ୟବହାରକୁ ନେଇ ଅଗଷ୍ଟ ୮ତାରିଖରେ ଟ୍ରିବ୍ୟୁନାଲ ପ୍ରସ୍ତାବ ଦେଇଥିଲେ । ଏହା ପରେ ଟ୍ରିବ୍ୟୁନାଲରେ ନିୟୋଜିତ ଦୁଇଜଣ ଆସେସରଙ୍କ ଦ୍ୱାରା ବୈଷୟିକ ଆକଳନ କରା‌ଯାଇ ଫର୍ମାଟ ପ୍ରସ୍ତୁତ କରାଯାଇ ଅକ୍ଟୋବର ୩ତାରିଖରେ ସମସ୍ତ ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା । ଟ୍ରିବ୍ୟୁନାଲର ଆସେସରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କମନ ଇନଫରମେସନ ଫର୍ମାଟରେ ସମସ୍ତ ସୂଚନାକୁ ଏକତ୍ରିତ କରାଯାଇ ଚିଠା ପ୍ରସ୍ତୁତ କରାଯାଇଛି, ଯାହାକୁ ଓଡ଼ିଶା ପକ୍ଷରୁ ସହମତି ପ୍ରଦାନ କରାଯାଇଛି ।

ଅନ୍ୟସବୁ ସବୁ ପକ୍ଷଭୁକ୍ତ ରାଜ୍ୟମାନଙ୍କ ମତାମତ ମିଳିସାରିବା ପରେ ଟ୍ରିବ୍ୟୁନାଲରେ ଏହାକୁ ଉପସ୍ଥାପିତ କରାଯିବ | ଟ୍ରିବ୍ୟୁନାଲଙ୍କ ନିର୍ଦେଶନାମା ପରେ କମନ ଇନଫରମେସନ ଫର୍ମାଟକୁ କାର୍ଯ୍ୟକାରୀ କରାଯିବ | ସୂଚନାଯୋଗ୍ୟ, ମହାନଦୀ ଜଳ ବିବାଦର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ନଭେମ୍ବର ୭ତାରିଖକୁ ଧାର୍ଯ୍ୟ କରିଛନ୍ତି | ଅନ୍ୟ ଏକ ଘଟଣାକ୍ରମରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ଅନ୍ତରୀଣ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ | ଏ ନେଇ ଦୁଇ ରାଜ୍ୟ ରାଜି ହୋଇଥିବାର ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି | ଆସନ୍ତା ସପ୍ତାହରେ ବୈଠକ ହେବ ବୋଲି ସ୍ଥିର ହୋଇଥିବା ବେଳେ ବର୍ତ୍ତମାନ ବୈଠକର ତାରିଖକୁ ଚୂଡାନ୍ତ କରାଯାଇନାହିଁ |