ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ଏହି ଅବସରରେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ଟିକସଦାତା ବହୁଳ ଭାବେ ଉପକୃତ ହେବେ। ଏଥିସହ ଆଜିର ବୈଠକରେ ଓଡ଼ିଶା ଲୋକାଲ୍ ଫଣ୍ଡ ଅଡିଟ୍ ସଂଶୋଧନ ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି। ଅନ୍ୟପଟେ ସୁବର୍ଣ୍ଣରେଖା ନଦୀରେ ହାଇଲେବଲ୍ ବ୍ରିଜ୍ ନିର୍ମାଣ ନେଇ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ସରକାର ତାହା ଶୁଣିଛନ୍ତି। ନୂଆ ବ୍ରିଜ୍ ନିର୍ମାଣ ନେଇ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ଏହି ପୋଲ ନିର୍ମାଣ ହେଲେ ବାଲିଆପାଳ ଓ ଭୋଗରାଇ ବ୍ଲକ ମଧ୍ୟରେ ଯୋଗାଯୋଗର ବାଟ ଫିଟିବ। ସେତୁଟି ବାଲିଆପାଳ ବ୍ଲକର ଜାମକୁଣ୍ଡ ଓ ଭୋଗରାଇ ବ୍ଲକର ଅଡ଼ଙ୍ଗପନ୍ତେଇକୁ ସଂଯୋଗ କରିବ। ଯାହା ଦ୍ୱାରା ଅଞ୍ଚଳବାସୀଙ୍କର ସମୟ ରକ୍ଷା ହେବ ଏବଂ ଦୀର୍ଘ ଦୂରତା କମିଯିବ। ଏଥିପାଇଁ ୧୩୮ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ୩୦ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବା ନେଇ ଧାର୍ଯ୍ୟ ହୋଇଛି।