ମକର ସଂକ୍ରାନ୍ତି: ଗୋପୀନାଥପୁର ସେତୁ ନେଲା ଗୋଟିଏ ମୁଣ୍ଡ

ଲକ୍ଷାଧିକ ଲୋକଙ୍କ ସମାଗମ କାରଣରୁ ଦଳାଚକଟା ହୋଇଥିବାର ଜଣାପଡ଼ିଛି…

ବଡ଼ମ୍ବା: ପବିତ୍ର ମକର ସଂକ୍ରାନ୍ତି ଅବସରରେ କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସିଂହନାଥ ପୀଠକୁ ସଂଯୋଗ କରୁଥିବା ସେତୁ ଉପରେ ଭୟଙ୍କର ଠେଲାପେଲା ଓ ଦଳାଚକଟା କାରଣରୁ ଜଣେ ମହିଳା ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ୨୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଚାରିଜଣଙ୍କର ଅବସ୍ଥା ସାଂଘାତିକ କାରଣରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ହେଉଛନ୍ତି ବଡ଼ମ୍ବା ଅଂଚଳର ଅଞ୍ଜନା ସ୍ୱାଇଁ (୪୫) ।

ମାତ୍ର କିଛିମାସ ତଳେ ମହାନଦୀ ଉପରେ ନିର୍ମିତ ସେତୁଟିର ଲୋକାର୍ପଣ କରାଯାଇଥିଲା । ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ସେତୁ ଜରିଆରେ ଲୋକମାନେ ସିଂହନାଥଙ୍କ ପୀଠକୁ ଯାଉଥିଲେ । ଲକ୍ଷାଧିକ ଲୋକଙ୍କ ସମାଗମ କାରଣରୁ ଦଳାଚକଟା ହୋଇଥିବାର ଜଣାପଡ଼ିଛି । ଘଟଣାସ୍ଥଳରେ ଉଭୟ ପୁଲିସ ଓ ଟ୍ରାଫିକ ପୁଲିସ ଅନୁପସ୍ଥିତ କାରଣରୁ ଅପରାହ୍ଣରେ ସେତୁ ଉପରେ ପ୍ରବଳ ଭିଡ଼ ଜମିଥିଲା ।

ଦଳାଚକଟାରୁ ରକ୍ଷା ପାଇବା ପାଇଁ କିଛି ଲୋକ ସେତୁ ଉପରୁ ନଦୀଗର୍ଭକୁ ଡେଇଁ ପଡ଼ିଥିଲେ । ଦଳାଚକଟା ସମୟରେ ପୋଲ ଉପରେ ପ୍ରାୟ ୫୦ ହଜାର ଲୋକ ଥିଲେ । ବିଗତ ଦୁଇବର୍ଷ ଧରି ମକର ଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ଲୋକଙ୍କ ଭିଡ ଅତିମାତ୍ରାରେ ଥିଲା । ଖବର ଶେଷ ହେଲା ବେଳକୁ କଟକ ପ୍ରଶାସନ ପକ୍ଷରୁ ସେତୁ ଉପରେ ୧୪୪ ଧାରା ଜାରି କରାଯାଇଛି ।