ଭାରତ ଜୋଡେ଼ା ଯାତ୍ରା: ରାହୁଲଙ୍କ ସାଙ୍ଗରେ ଚାଲୁଚାଲୁ ଚାଲିଗଲେ ସାଂସଦ

ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବାର କହିଛନ୍ତି ଡାକ୍ତର….

ନୂଆଦିଲ୍ଲୀ: ଭାରତ ଜୋଡେ଼ା ଯାତ୍ରାରେ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କ ସହିତ ବାଟ ଚାଲୁଥିଲା ବେଳେ ବେହୋସ ହୋଇ ପଡ଼ିଯାଇଥିଲେ କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ । ପରକ୍ଷଣରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ଘଟଣାରେ ମର୍ମାହତ ହୋଇ ରାହୁଲ ଭାରତ ଜୋଡେ଼ା ଯାତ୍ରାକୁ ଦିନକ ପାଇଁ ସ୍ଥଗିତ ରଖିଛନ୍ତି । ସାଂସଦଙ୍କ ମୃତ୍ୟୁରେ ମ୍ରିୟମାଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ମୃତ ସାଂସଦ ପଞ୍ଜାବର ଜଳନ୍ଧରକୁ ପ୍ରତିନିଧିତ୍ୱ କରୁଥିଲେ । ଶନିବାର ସକାଳେ ଭାରତ ଜୋଡେ଼ା ଯାତ୍ରା ପଞ୍ଜାବର ଫିଲୌର ନିକଟରେ ପହଂଚିଥିଲା । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବାର କହିଛନ୍ତି ଡାକ୍ତର । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍‌ କରିଛନ୍ତି, ଏମ୍‌ପି ଚୌଧୁରୀ ସନ୍ତୋଖ ସିଂହଙ୍କ ଆକସ୍ମିକ ପରଲୋକରେ ମୁଁ ଗଭୀର ମର୍ମାହତ । ତାଙ୍କର ପରିବାର ଓ ସମର୍ଥକଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ପଦଯାତ୍ରାରେ ଯାଉଥିଲା ବେଳେ ସାଂସଦ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲୁଧିଆନାର ବିର୍କ ହସ୍ପିଟାଲକୁ ନିଆଯାଇଥିଲା ।