ଯୁବକଙ୍କୁ ଅଧା କିମି ଘୋଷାଡ଼ି ନେଲା କାର

ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ହିଟ୍‌ ଆଣ୍ଡ୍‌ ରନ୍‌….

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ମନରୁ କଂଝାୱାଲା ଘଟଣା ଲିଭିନି, ରାଜଧାନୀରେ ଆଉ ଏକ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ଲୋକଙ୍କୁ ଆନ୍ଦୋଳିତ କରିଛି । ଗୋଟିଏ କାର ଚାଳକ କ୍ରୋଧରେ ଜଣେ ଯୁବକଙ୍କୁ ଧକ୍କା ମାରିବା ସହିତ ତାଙ୍କୁ ବୋନଟ୍‌ ଉପରେ ଅଧା କିଲୋମିଟର ନେଇଯାଇଛନ୍ତି । ଉକ୍ତ ଦୃଶ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ହୃଦୟକୁ ଥରାଇ ଦେଇଛି । ସୂଚନା ମୁତାବକ, ରାଜୌରୀ ଗାର୍ଡେନ୍‌ ଇଲାକାରେ ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଦୁଇପକ୍ଷ ଭିତରେ ବଡ଼ ଧରଣର ଝଗଡ଼ା ଲାଗିଗଲା । କ୍ରୋଧାନ୍ଧ କାର ଚାଳକ ପ୍ରତିପକ୍ଷକୁ ଧକ୍କା କରିଥିଲା । ଯୁବକ ଜଣକ ବୋନେଟ୍‌ ଉପରେ ପଡ଼ିଯିବାରୁ କାର ଚାଳକ ତାଙ୍କୁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା ।

ସିସିଟିଭି ଫୁଟେଜକୁ ଯାଂଚ କରି ପୁଲିସ ଦୁର୍ଘଟଣା ଘଟାଇଥିବା କାର ଓ ଚାଳକକୁ ଠାବ କରିବାକୁ ଅଂଟା ଭିଡିଛି । ତା’ ସହିତ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ତଲାସ କରୁଛି । ଏହା ପୂର୍ବରୁ ଜାନୁଆରୀ ପହିଲାର ଘଟଣା ସାରା ଦେଶକୁ ତଟସ୍ଥ କରିଥିଲା । କିଛି ନିଶାସକ୍ତ ଯୁବକ ଦ୍ରୁତଗତିରେ କାର ଚଳାଇ ଯାଉଥିଲା ବେଳେ ଜଣେ ଯୁବତୀଙ୍କ ସ୍କୁଟିକୁ ଧକ୍କା କରିଥିଲେ ।

ଯୁବତୀଙ୍କ ଗୋଡଟି କାର ତଳପାଶ୍ୱର୍ରେ କୌଣସି ସ୍ଥାନରେ ଲାଗି ରହିଯିବା ଫଳରେ ଗାଡ଼ିଟି ଯୁବତୀଙ୍କୁ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଗାଡ଼ିତଳେ ଘୋଷାଡ଼ି ହୋଇ ଯୁବତୀ ଜଣକ ଯାଉଥିବା ବେଳେ ଜଣେ ବାଇକ ଆରୋହୀଙ୍କ ଦୃଷ୍ଟିରେ ପଡ଼ିଥିଲା । ସଂପୃକ୍ତ ଯୁବକ ପୁଲିସକୁ ଫୋନ୍‌ କରି ସବୁ ବିଷୟ ଜଣାଇଥିଲେ । ମାମଲାଟି ଖୋଳତାଡ଼ କରିବା ପରେ ଗାଡ଼ିତଳେ ଘୋଷାଡ଼ି ହୋଇ ପ୍ରାଣ ହରାଇଥିବା ଯୁବତୀଙ୍କ ନାମ ଅଞ୍ଜଳି ଜଣାପଡ଼ିଥିଲା । ଉକ୍ତ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ଏବେ ହତ୍ୟାକାଣ୍ଡ ରୂପ ନେଇଛି ।