ମାଟ୍ରିକ୍‌ କପି ଯୋଗାଣ ତଦନ୍ତ ରିପୋର୍ଟକୁ ଚାପି ଦିଆଗଲା

ପିଲାଙ୍କ ଜୀବନ ସହ ଖେଳିବା ସରକାରଙ୍କ ଯୋଜନା…

ପୁରୀ: ବିଧାନସଭା ଅଧିବେଶନ ଚାଲିଥିବାରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେବା ସଂକ୍ରାନ୍ତ ବିବାଦୀୟ ଅଡିଓ ରିପୋର୍ଟର ତଦନ୍ତ ରିପୋର୍ଟକୁ ଚାପି ଦିଆଯାଇଛି ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ସଂପୃକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ଗୁପ୍ତ ନିର୍ଦ୍ଦେଶ ଦିଆଯାଇଥିବା କଥା ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳିଛି ।

ଅଯଥା ବିବାଦରୁ ଦୂରେଇ ରହିବାକୁ ଯାଇ ଅଭିଯୁକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା ସରିବା ପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରବେଶ କରିବାକୁ ବାରଣ କରି ରାଜ୍ୟ ସରକାର ଚତୁରତାର ସହ କାମ କରିଛନ୍ତି । କିନ୍ତୁ କଥା ଉଠୁଛି, ଯଦି ଭାଇରାଲ ହୋଇଥିବା କଥାବାର୍ତା ଭିତିହୀନ ।

ତେବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ଭିତରକୁ ପଶିବାକୁ ମନା କରାଗଲା କାହିଁକି? କଥାରେ ପେଚ ଅଛି, ବାଛୁରୀ ପିଇଯାଉଛି । ଭାଇରାଲ ଭିଡିଡର ତଦନ୍ତ ରିପୋର୍ଟରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା କଥା କୁହାଯାଇଛି । ମାଟ୍ରିକ୍‌ ପିଲାଙ୍କୁ ପରୀକ୍ଷାରେ କପି ଯୋଗାଇ ଦେବା ସଂକ୍ରାନ୍ତରେ ପିଲାଙ୍କ ଅଭିଭାବକ ଓ ଜଣେ ଶିକ୍ଷକଙ୍କ ମଧ୍ୟରେ ଡିଲ୍‌ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ।

ଚର୍ଚ୍ଚାର ପରିସରକୁ ଆସିଥିଲା ପୁରୀ ଜିଲ୍ଳା ହରିପୁର ଉଚ୍ଚ ବିଦ୍ୟାଳୟ ମାମଲା । ମନ୍ତ୍ରୀ ସମୀର ଦାଶଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇ ରିପୋର୍ଟ ଦାଖଲ ସରିଛି । ସଂପୃକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା କାର୍ଯ୍ୟକ୍ରମରୁ ବାଦ ଦିଆଯାଇଛି । ଏପରିକି ୩୦ ତାରିଖ ଯାଏ ସ୍କୁଲରେ ପଶିବାକୁ ମନା କରାଯାଇଛି । ଫଳରେ ଅନ୍ୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ହରିପୁର ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଛି ।