ଫେରିଲା ମାସ୍କ ଧାରଣ, ଗହଳିକୁ ବାରଣ

ସାମାନ୍ୟ ଜ୍ୱରକୁ ଅବହେଳା କଲେ ପରିଣାମ ଭୟଙ୍କର…

ଭୁବନେଶ୍ୱର: ସବୁକିଛି ଠିକ୍‌ଠାକ୍‌ ବୋଲିି ସରକାର ନିଜକୁ ବୁଝାଇ ଚାଲିଥିଲେ ମଧ୍ୟ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବା ଦେଖି ଛାନିଆ ହୋଇ ଯାଇଛନ୍ତି । ବିଗତ ୧୧୩ ଦିନ ଧରି କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ଥିଲା । କିନ୍ତୁ ଗତ ୨୪ ଘଂଟା ଭିତରେ ୫୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଜଣେ ସଂକ୍ରମିତ ମରିଛନ୍ତି । ଇତିମଧ୍ୟରେ ରାଜ୍ୟରେ ତୁରନ୍ତ ପାଗ ପରିବର୍ତନ କାରଣରୁ କରୋନା ପ୍ରଜାତିର ଏଚ୍‌୩ଏନ୍‌୨ ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଉଛି । ଘରେଘରେ ଲୋକଙ୍କୁ ଜ୍ୱର, କାଶ, ଛିଙ୍କ, ଅଂଟା ପିଠି ଦରଜ ଭଳି ସମସ୍ୟା ଦେଖା ଦେଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ସିଡିଏମ୍‌ଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ତୟାର ରହିବାକୁ ପରାମର୍ଶ ଦିଆଯାଇଛି । ସବୁ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ଅକ୍ସିଜେନ୍‌ ଓ ଆଇସିୟୁ ରଖିବାକୁ କୁହାଯାଇଛି । ସାମାନ୍ୟ ଜ୍ୱର ହେଲେ ତୁରନ୍ତ ନିକଟତମ ଡାକ୍ତରଖାନାକୁ ଯିବା ପାଇଁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି । ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରି ଡାକ୍ତରଖାନାରେ ରହି ଚିକିତ୍ସିତ ହେବାକୁ ମଧ୍ୟ କୁହାଯାଇଛି । ପୂର୍ବଭଳି ମାସ୍କ ଧାରଣ ଓ ଗହଳିକୁ ବାରଣ କରିବାକୁ କୁହାଯାଇଛି ।