ରାଜ୍ୟରେ ଶୀତର ଅନୁଭବ,୧୫ ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା

ଭୁବନେଶ୍ୱର (ଏସ ନ୍ୟୁଜ ): ରାଜ୍ୟରେ କମିବାରେ ଲାଗିଛି ପାରଦ ,ବଢିଛି ଶୀତ । ମୌସୁମୀ ପ୍ରତ୍ୟାବର୍ତନ ପରେ ରାଜ୍ୟର ଅନେକ ଅଞ୍ଚଳରେ ଥଣ୍ଡା ପଡ଼ିଲାଣି। ଏପରିକି ଆଜି ୪ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି। ସୋନପୁରରେ ସବୁଠୁ ଅଧିକ ଥଣ୍ଡା ପଡ଼ିଲାଣି। ଏଠାରେ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଅନୁଗୋଳ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ମଧ୍ୟ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଅନୁଗୋଳରେ ତାପମାତ୍ରା ୧୩.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ ରହିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି। ଏଠାରେ ତାପମାତ୍ରା ୧୯.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ୨୦ ଡିଗ୍ରୀ ରହିଛି।

ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁକାରଣରୁ ମୌସୁମୀ ଯିବାରେ ବିଳମ୍ବ ହୋଇଥିଲା। କିନ୍ତୁ ଏବେ ମୌସୁମୀ ଯିବାର ପରେ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଗଲାଣି। ଏପରିକି ଗତ ଦୁଇ-ତିନି ଦିନ ହେବ ରାଜ୍ୟରେ ଶୀତ ଅନୁଭୂତ ହେଉଛି।