କୋଭିଡ ନିୟମ ଭାଙ୍ଗି କ୍ଷମା ମାଗିଲେ ବିଜେଡି ବିଧାୟକ

ଶେଷରେ କ୍ଷମା ମାଗିଲେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ। କରୋନା ସଂକ୍ରମିତ ହୋଇ ମଧ୍ୟ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ ଉପସ୍ଥିତ ଥିଲେ ବିଜେଡି ବିଧାୟକ । ଏନେଇ ତାଙ୍କ ନାଁରେ ପୁରୀ ପୁଲିସ୍‌ ମାମଲା ରୁଜୁ କରିବା ପରେ ଶେଷରେ ନିଜ ଭୁଲ ବୁଝି ପାରି କ୍ଷମା ମାଗିଛନ୍ତି ଉମା।

ଏକ ଭିଡିଓ ବାର୍ତ୍ତାରେ କରୋନା ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ୍ ଥିଲା ବୋଲି ସ୍ୱୀକାର କରିଛନ୍ତି ବିଧାୟକ । ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି। ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ମୋ ପାଇଁ ସଂପୂର୍ଣ୍ଣ ଭୁଲ୍ ଥିଲା ବୋଲି ମଧ୍ୟ ମାନିଛନ୍ତି। ଏଥିସହ ସରକାରଙ୍କ ଆଇନଠୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ, ମୁଁ ମାନିବାକୁ ପ୍ରସ୍ତୁତ। ମୁଁ କରିଥିବା ଭୁଲ୍ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି ବୋଲି ଜାରି ଭିଡିଓରେ କହିଛନ୍ତି ବିଧାୟକ ଉମା ସାମନ୍ତରାୟ।

ସୂଚନାଯୋଗ୍ୟ, କରୋନା ସଂକ୍ରମିତ ହୋଇ ମଧ୍ୟ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ ଉପସ୍ଥିତ ଥିବା ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ଗତକାଲି ପୁରୀ ସମୁଦ୍ରକୂଳ ଥାନାରେ ପୁଲିସ୍‌ ଏକ ମାମଲା ରୁଜୁ କରିଛି । ଏପିଡେମିକ ଆକ୍ଟରେ ମାମଲା ରୁଜୁ କରାଯାଇ ଆଇପିସି ୨୬୯ ଓ ୨୭୦ ଦଫା ଲାଗିଛି ଉମାଙ୍କ ବିରୋଧରେ । ଜଗନ୍ନାଥ ସେନାର ଦୀର୍ଘ ଦିନର ଦାବି ପରେ ମାମଲା ରୁଜୁ କରିବାକୁ ପଚଘୁଞ୍ଚା ଦେଉଥିବା ପୁଲିସ୍‌ ପ୍ରଶାସନ ଶେଷରେ ଗତକାଲି ମାମଲା ରୁଜୁ କରିଛି।

ପୁରୀ ସ୍ୱର୍ଗଦ୍ୱାରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବସତ୍କାରରେ କରୋନା ପଜିଟିଭ୍ ଥାଇ ମଧ୍ୟ ବିଧାୟକ ଉମା ସାମନ୍ତରାୟ ଏବଂ ମନ୍ତ୍ରୀ ସମୀର ଦାସ ଯୋଗ ଦେଇଥିଲେ। ଜଗନ୍ନାଥ ସେନା ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହାକୁ ନେଇ ତୀବ୍ର ଅଭିଯୋଗ ହୋଇଥିଲା ।