ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ମୋବାଇଲ୍ ସେବା

ଭୁବନେଶ୍ୱର(ଏସ୍ ନ୍ୟୁଜ): ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ‘ସ୍ୱାଭିମାନ ଅଞ୍ଚଳର’ ନାଁ ଦେବା ଧିରେ ଧିରେ ବାସ୍ତବ ସାର୍ଥକତା ଲାଭ କରୁଛି। ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁ ପରେ ଏବେ ସେଠାକାର ଲୋକଙ୍କ ପାଖରେ ପହଞ୍ଚିଛି ମୋବାଇଲ୍ ସେବା। ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି।

ମାଓ ପ୍ରବାଭିତ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା, ଜନ୍ତାପାଇ ଓ ପିପଲାପଦର ଠାରେ ନୂଆକରି ନିର୍ମାଣ ହୋଇଛି ମୋବାଇଲ୍ ଟାୱାର। ଏହାଦ୍ୱାରା ସ୍ବାଭିମାନ ଅଞ୍ଚଳ ସହ ଯୋଗାଯୋଗ ଆହୁରି ସୁଗମ ହେବ। ବିଶେଷ କରି ଅଞ୍ଚଳବାସୀଙ୍କ ସମେତ ସେଠାକାର ବିଭିନ୍ନ ସ୍ଥାନରେ ମୁତୟନ ଥିବା ସୁରକ୍ଷାକର୍ମୀ ମାନେ ଏହାର ବହୁଳ ଲାଭ ପାଇବେ। ଏହି ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି। ଆଉ ତିନୋଟି ଟାୱାର ମଧ୍ୟ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବବୋଲି ପୋଲିସ ଡିଜି ଅଭୟ କହିଛନ୍ତି।

ସ୍ୱାଭିମାନ ଅଞ୍ଚଳରେ ମୋବାଇଲ୍ କଲ୍ ଏବଂ ଇଣ୍ଟରନେଟ୍ ସେବା ଯୋଗାଇବା ରାଜ୍ୟ ସରକାରଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ଥିଲା। ନକ୍ସଲଙ୍କ କାର୍ଯ୍ୟକଳାପ ଯୋଗୁଁ ଅନେକ ଟାୱାର ପୂର୍ବରୁ ଧ୍ୱସଂ ପାଇଛି। ଏବେ ନୂଆ ଟାୱାର ନିର୍ମାଣ ହୋଇଥିବା ବେଳେ ଏହାକୁ ଦିନ ରାତି ସୁରକ୍ଷା ଦେବା ଏକ ବଡ଼ କାଠିକର କାମ। ତେବେ ଯୋଗାଯୋଗର ଏହି ନୂଆ ମାଧ୍ୟମ ବିଛିନ୍ନାଞ୍ଚଳରେ ବହୁଳ ହିତକାରୀ ଫଳ ଆଣିବ।