ବିଧାନସଭାରେ ପ୍ରବେଶ ପୂର୍ବରୁ କୋଭିଡ଼ ଟେଷ୍ଟ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଏବଂ କର୍ମଚାରୀଙ୍କର ହେବ କୋଭିଡ଼ ଟେଷ୍ଟ। ଆଜି ଅଧିବେଶନ ସୁପରିଚାଳନା ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ବିଧାୟକ ଏବଂ ଅନ୍ୟମାନଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ବୈଠକରେ ଏହି ନିଷ୍ପତ୍ତି ନିଆଗଲା ଯେ ଅଧିବେଶନ ଆରମ୍ଭର ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କର କୋଭିଡ଼ ଟେଷ୍ଟ କରାଯିବ। ଏହି RT-PCR ଟେଷ୍ଟ ଲାଗି ବିଧାନସଭା ପରିସରରେ ସ୍ୱତନ୍ତ୍ର କାଉଣ୍ଟର ରହିବ। ଏହାସହ ଅଧିବେଶନର ୫ ଦିନ ପରେ ପୁଣିଥରେ ସମସ୍ତ ବିଧାୟକଙ୍କର ରାପିଡ଼୍ ଟେଷ୍ଟ କରାଯିବ। ଅଧିବେଶନରେ ଯୋଗଦେବାକୁ ଥିବା ବରିଷ୍ଠ ଅଧିକାରୀଙ୍କର ମଧ୍ୟ ଆଣ୍ଟିଜେନ୍ ଟେଷ୍ଟ କରାଯିବ।

୬୦ ବର୍ଷରୁ ଅଧିକ ବୟସ ଥିବା ବିଧାୟକମାନଙ୍କ ପାଇଁ ଅଧିବେଶନରେ ବସିବା ଲାଗି ସ୍ୱତନ୍ତ୍ର ଆୟୋଜନ ହେଉଥିବା ମଧ୍ୟ ଜଣାପଡ଼ିଛି। ଏହି ଆଲୋଚନାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ସ୍ୱାସ୍ଥ୍ୟ ସଚିବ ପିକେ ମହାପାତ୍ର ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।