ଅନୁଭବଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି? ପ୍ରଶ୍ନକଲା ବିଜେପି

ଭୁବନେଶ୍ୱର(ଏସ୍ ନ୍ୟୁଜ): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମାନବିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଏବଂ ତାଙ୍କୁ ଦଳରୁ ବହିଷ୍କାର କରାଯାଉ। ପତ୍ନୀ ବର୍ଷାଙ୍କ ନିର୍ଯାତନା ଅଭିଯୋଗ ଆଧାରରେ ଏଭଳି ଦାବି କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ଏତେ ସବୁ କଥା ପଦାକୁ ଆସିବା ପରେ ଅନୁଭବଙ୍କୁ ନେଇ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି।

ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମିଳନୀ ଡକାଇ ଅନୁଭବଙ୍କୁ ଘେରିଛି ବିଜେପି ମହିଳା ମୋର୍ଚ୍ଚା। ପୂର୍ବରୁ ବହୁବାର ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ବିଜେପି ଦାବି କରିଆସୁଥିବା ବେଳେ ସରକାର ଏଡ଼ାଇ ଯାଉଥିଲେ। ଏହି ପ୍ରସଙ୍ଗର ସତ୍ୟାସତ୍ୟ କେତେ ତାହାର ଜ୍ୱଳନ୍ତ ଚିତ୍ର ହେଉଛନ୍ତି ଅନୁଭବ ମହାନ୍ତି ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି। ଅନୁଭବଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ସେ ଦୃଢ଼ ଦାବି କରିଛନ୍ତି।

ଇତିମଧ୍ୟରେ ପୂର୍ବରୁ ସମାନ ଧରଣର ଘଟଣାକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଙ୍ଗୁଳୀ ନିର୍ଦ୍ଦେଶ କରିଛି ବିଜେପି। ଅନୁଭବଙ୍କ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍? କେନ୍ଦ୍ରାପଡ଼ା ସାଂସଦଙ୍କ ଦୋଷତୃଟି ପ୍ରତି ମୁଖ୍ୟମନ୍ତ୍ରୀ କାହିଁକି ଆଖି ବୁଜିଦେଇଛନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି। ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ବିଜେପିର ମହିଳା କର୍ମୀ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ମୃତି ପଟ୍ଟନାୟକ।