ଶୁଣାଣି ଘୁଞ୍ଚିଲା, ସୁପ୍ରିମ୍ କୋର୍ଟ ଯିବେ ବର୍ଷା

ଭୁବନେଶ୍ୱର(ଏସ୍ ନ୍ୟୁଜ): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ଘରୋଇ ହିଂସା ଅଭିଯୋଗ ମାମଲାର ଶୁଣାଣି ଆଜି ହୋଇପାରିନି। ଆସନ୍ତା ଅକ୍ଟୋବର ୧୨ ତାରିଖରେ ଏହାର ଶୁଣାଣି ହେବ ବୋଲି କଟକ ଏସଡିଜେଏମ୍ କୋର୍ଟ କହିଛନ୍ତି।

ମାମଲାରେ ନିଯୁକ୍ତ ଥିବା ପ୍ରୋଟେକ୍ସନ ଅଫିସର ନିଜର ରିପୋର୍ଟ ଫାଇଲ୍ ନକରିପାରିବାରୁ ଶୁଣାଣି ତାରିଖ କୋର୍ଟ ଘୁଞ୍ଚାଇଛନ୍ତି। ଏପଟେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଅନୁଭବ ମହାନ୍ତି ଦାଖଲ କରିଥିବା ଛାଡ଼ପତ୍ର ପିଟିସନ ମାମଲା ଓଡ଼ିଶାକୁ ସ୍ଥାନାନ୍ତର ପାଇଁ ବର୍ଷା ଆବେଦନ କରିବେ। ପରିଚାଳନା ଗତ ସୁବିଧା ପାଇଁ ଏନେଇ ସୁପ୍ରିମ୍ କୋର୍ଟରେ ଆବେଦନ କରାଯିବ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି।

ଏପଟେ ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ପ୍ରେସ୍ ରିଲିଜ ଜରିଆରେ ନିଜର ପକ୍ଷ ରଖିଛନ୍ତି ଅନୁଭବ। ବୈବାହିକ ଜୀବନକୁ ନେଇ ଉଭୟ ଖୁସି ନଥିବା ଦର୍ଶାଇ ସେ ଛାଡପତ୍ର ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଲେଖିଛନ୍ତି। ପୂର୍ବରୁ ବର୍ଷା ସ୍ୱାମୀ ଅନୁଭବ ତାଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେଇଥିବା ନେଇ ୮ ପୃଷ୍ଠା ସମ୍ବଳିତ ପିଟିସନ କୋର୍ଟଙ୍କ ନିକଟରେ ଦାଖଲ କରିଛନ୍ତି।