ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଓଡ଼ିଶାରୁ ଯାଇ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ପ୍ରତିନିଧିତ୍ବ କରିଥିବା ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କର ଆଜି ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

୨୦୧୫ରେ ଶ୍ରୀ ସ୍ୱାଇଁ ବିଜୁ ଜନତା ଦଳ ଟିକେଟରେ ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୬ରେ ସେ ଗମନାଗମନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗୀୟ ସଂସଦୀୟ କମିଟିର ସଦସ୍ୟ ରହିଥିଲେ। ଏଥିସହ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରଣାଳୟର ପରାମର୍ଶଦାତା କମିଟିରେ ମଧ୍ୟ ସେ ୨୦୧୭ରେ ସ୍ଥାନ ପାଇଥିଲେ।

୮୧ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କୁ ଜଣେ ଦକ୍ଷ ସଂଗଠକ କହିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।