ଏପ୍ରିଲରେ ପୌର ନିର୍ବାଚନ!

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ଭୋଟ୍‌ ଗଣତି ଶେଷ ହେବା ପରେ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକିବେ। ଏହାପରେ ଜିଲ୍ଲାପାଳ, ଏସ୍‌ପି, ମହାନଗର ନିଗମ କମିସନର, କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ ବୈଠକ ଡାକି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ହେବ। ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହେବ। ଏପ୍ରିଲ ଦ୍ବିତୀୟ/ତୃତୀୟ ସପ୍ତାହରେ ଭୋଟ୍ ହେବ ବୋଲି ଜଣାପଡ଼ିଛି।

ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥ୍‌ରେ ଇଭିଏମ୍‌ ମାଧ୍ୟମରେ ଭୋଟ ଗ୍ରହଣ କରାଯିବ। ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବ୍ୟବହାର ହେବ। ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥ୍‌ରେ ଦୁଇଟି ଲେଖାଏଁ ଇଭିଏମ୍‌ ରହିବ। ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀଙ୍କ ପାଇଁ ଗୋଲାପି ରଙ୍ଗର ବାଲଟ୍‌ ପେପର ଓ ଅଧ୍ୟକ୍ଷ/ମେୟର ପ୍ରାର୍ଥୀଙ୍କ ପାଇଁ ହଳଦିଆ ରଙ୍ଗର ବାଲଟ୍‌ ପେପର ବ୍ୟବହାର ହେବ। ସେହିପରି ପୌର ନିର୍ବାଚନରେ ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ବାଲଟ ପେପର ବ୍ୟବସ୍ଥା କରାଯାଇଛି।