‘My NEP’ ପ୍ରତିଯୋଗିତା ୱେବସାଇଟ୍ ଉନ୍ମୋଚିତ

ଭୁବେନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ହାତରେ ଉନ୍ମୋଚିତ ହୋଇଛି ‘ନୂତନ ଶିକ୍ଷାନୀତି ଜାଗରଣ ଅଭିଯାନ’ ‘My NEP’ ପ୍ରତିଯୋଗିତାର ୱେବସାଇଟ୍ www.mynep.in। ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶା ଆନୁକୂଲ୍ୟରେ ଆଜି ରାଜଭବନ ପରିସରରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରଫେସର ଗଣେଶୀଲାଲ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ବିକଶିତ ହୋଇଥିବା ଜାତୀୟ ଶିକ୍ଷାନୀତିକୁ ପ୍ରଶଂସା କରିବା ସହିତ ଶିକ୍ଷା କ୍ଷେତ୍ରରେ ପ୍ରାଚ୍ୟ ଦେଶରେ ହେଉଥିବା ଏହି ସୂର୍ଯ୍ୟୋଦୟ ସାରା ବିଶ୍ୱକୁ ଆଲୋକିତ କରିବ ବୋଲି ମତବ୍ୟକ୍ତ କରିଛନ୍ତି। ଜାତୀୟ ଶିକ୍ଷାନୀତି – ୨୦୨୦ ନିମନ୍ତେ ଆରମ୍ଭ ହୋଇଥିବା ଏହି ଜନଜାଗରଣ ପାଇଁ ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି।

ସେପ୍ଟେମ୍ବର ୧୧ ତାରିଖରୁ ୱେବସାଇଟ୍ www.mynep.in ରେ ଅନଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ । ୨୫ ସେପ୍ଟେମ୍ବର ୨୦୨୦ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ଠାରୁ ଅକ୍ଟୋବର ୨ ମହାତ୍ମା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ସୋସିଆଲ ମିଡ଼ିଆ ଓ ୱେବସାଇଟ୍ www.mynep.in ରେ My NEP ଉପରେ ଲୋକପ୍ରିୟ ଆକର୍ଷକ ପ୍ରତିଯୋଗିତାମାନ ଆୟୋଜନ ହେବ।

ଏହି My NEP ପ୍ରତିଯୋଗିତା ୧୩ଟି ଭାରତୀୟ ଭାଷାରେ (ହିନ୍ଦୀ, ଇଂରାଜୀ, ମରାଠୀ, ଗୁଜୁରାଠୀ, ମାଲାୟାଲାମ, ତାମିଲ, ତେଲଗୁ, କନ୍ନଡ଼, ଆସାମିଆ, ପଞ୍ଜାବୀ, ଓଡ଼ିଆ, ବଙ୍ଗଳା, ସଂସ୍କୃତ) ଏବଂ ଭାରତ କେନ୍ଦ୍ରିତ, ସମଗ୍ର ଶିକ୍ଷା, ଜ୍ଞାନ ଆଧାରିତ ସମାଜ ଏବଂ ଗୁଣବତ୍ତା ଶିକ୍ଷା ଭଳି ଚାରୋଟି ଉପ ବିଷୟ ଉପରେ ଆୟୋଜିତ ହେବ। ଏହି ପ୍ରତିଯୋଗିତାକୁ ତିନୋଟି ଶ୍ରେଣୀରେ ବଣ୍ଟା ଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ -ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ହେଲା ସ୍ନାତକ ଓ ତୃତୀୟ ହେଲା ନାଗରିକ ଶ୍ରେଣୀ। ପ୍ରତ୍ୟେକ ଶ୍ରେଣୀରେ ବିଜେତାକୁ ମହତ୍ତ୍ୱପୂର୍ଣ୍ଣ ଓ ଆକର୍ଷକ ପୁରସ୍କାର ପ୍ରଦାନ କରାଯିବ। ପ୍ରତ୍ୟେକ ପ୍ରତିଯୋଗୀକୁ ଏକ ଭାଗିଦାରୀ ପ୍ରମାଣପତ୍ର ପ୍ରାପ୍ତ ହେବ।

ଏହାସହ ହସ୍ତ ନିର୍ମିତ ପେଣ୍ଟିଂ, ମିମ୍‌-ମେକିଂ, ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲିଖନ, ଭାଷଣ ପ୍ରତିଯୋଗିତା, ନିବନ୍ଧ ଲିଖନ ପ୍ରତିଯୋଗିତା, ଲଘୁ ଫିଲ୍ମ ନିର୍ମାଣ, ଡିଜିଟାଲ ଡିଜାଇନିଂ ଏବଂ ଟ୍ୱିଟର ଥ୍ରେଡ଼ ରଚନା ପରି ପ୍ରତିଯୋଗିତା ଆୟୋଜିତ ହେବ। ଏହି ଶ୍ରେଣୀ ବିଶିଷ୍ଟ ପ୍ରତିଯୋଗିତା ବ୍ୟତୀତ ରାଷ୍ଟ୍ରୀୟ ଶିକ୍ଷାନୀତିର ବିଭିନ୍ନ ବିଭାଗ ଉପରେ ଜ୍ଞାନବର୍ଦ୍ଧକ କ୍ୱିଜ୍‌ ମଧ୍ୟ ଅନଲାଇନ ଦ୍ୱାରା ଆୟୋଜିତ ହେବ । ବିଜେତାଙ୍କ ନାମର ଘୋଷଣା ୫ ଅକ୍ଟୋବର ୨୦୨୦ରେ ହେବ ।