ବୃଦ୍ଧି ପାଉଛି ବାଲ୍ୟ ବିବାହ: ଶୀର୍ଷରେ ନବରଙ୍ଗପୁର

୧୮ରୁ କମ୍‌ ବୟସରେ ମାତୃତ୍ୱ ଲାଭ କରୁଛନ୍ତି ୩୯.୪ ପ୍ରତିଶତ ….

ନବରଙ୍ଗପୁର: ୧୮ରୁ କମ୍‌ ବୟସରେ ମାତୃତ୍ୱ ଲାଭ କରୁଛନ୍ତି ୩୯.୪ ପ୍ରତିଶତ ନାବାଳିକା। ସେଥିମଧ୍ୟରୁ ୬୯.୩ ପ୍ରତିଶତ ରକ୍ତହୀନତାର ଶିକାର। ଫଳରେ ପ୍ରସବ ସମୟରେ ଉଭୟ ମାଆ ଓ ଶିଶୁର ଜୀବନ ପ୍ରତି ବିପଦ ରହୁଛି। ଚାଇଲଡ୍‌ ଲାଇନ୍‌, ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସହ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବାଲ୍ୟବିବାହ ରୋକିବା ଦିଗରେ କାମ କରୁଛନ୍ତି। କିନ୍ତୁ ସଚେତନତାର ଅଭାବ ଓ ପରମ୍ପରାଗତ ଅଭ୍ୟାସ କାରଣରୁ ସଫଳତା ମିଳିପାରୁନି।

ଏନ୍‌ଏଫ୍‌ଏଚ୍‌ଏସ୍‌-୫ ସର୍ଭେ ଅନୁଯାୟୀ ରାଜ୍ୟରେ ବାଲ୍ୟବିବାହ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲା ପ୍ରଥମ। ୨ ବର୍ଷ ତଳେ ସର୍ବଭାରତୀୟ ସ୍ତରରେ ନବରଙ୍ଗପୁର ପ୍ରଥମ ସ୍ଥାନରେ ଥିଲା। ସ୍ୱଳ୍ପ ବୟସରେ ଗର୍ଭଧାରଣ ଯୋଗୁଁ ମାତୃ ଓ ଶିଶୁ ମୃତ୍ୟୁ ହାର ମଧ୍ୟ ବଢ଼ୁଛି। ସ୍ୱତନ୍ତ୍ର ଆକ୍ସନ୍‌ ପ୍ଲାନ୍‌ରେ ଜିଲ୍ଲା ପ୍ରଶାସନ ବାଲ୍ୟବିବାହ ରୋକିବାକୁ ପଦକ୍ଷେପ ନେଇଛି। ୨୦୨୬ ଜାନୁଆରିରେ ୬୫ଟି, ଫେବ୍ରୁଆରିରେ ୪୨ଟି, ମାର୍ଚ୍ଚରେ ୪୭ଟି ଓ ଏପ୍ରିଲରେ ୨୪ ବାଲ୍ୟବିବାହ ରୋକିଛି ପ୍ରଶାସନ। ୨୦୨୦ରେ ୭୮ଟି, ୨୦୨୧ରେ ୧୪୪ଟି, ୨୦୨୨ରେ ୨୯୭ଟି, ୨୦୨୩ରେ ୪୪୦ଟି, ୨୦୨୪ରେ ୩୭୩ଟି ଓ ୨୦୨୫ରେ ୩୮୦ଟି, ଏହିପରି ଗତ ୫ବର୍ଷରେ ୧୯୭୦ ବାଲ୍ୟବିବାହକୁ ରୋକାଯାଇଛି। ସର୍ବାଧିକ ବାଲ୍ୟବିବାହ ତାଲିକାରେ ଜିଲ୍ଲାର ଉମରକୋଟ, କୋଷାଗୁମୁଡା, ଝରିଗାଁ, ରାଇଘର, ପାପଡାହାଣ୍ଡି, ନବରଙ୍ଗପୁର ବ୍ଲକ୍‌ ରହିଛି। ବାଲ୍ୟବିବାହ କରୁଥିବା ନାବାଳିକାଙ୍କ ମଧ୍ୟରୁ ୭୦.୮ ପ୍ରତିଶତ କମ୍‌ ଓଜନ ଓ ୬୯.୩ ପ୍ରତିଶତ ରକ୍ତହୀନତାର ଶିକାର ହେଉଛନ୍ତି। ଗ୍ରାମାଂଚଳରେ କାମ କରୁଥିବା ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ବାଲ୍ୟବିବାହ ସମ୍ପର୍କରେ ସୂଚନା ଦେଇ ଗ୍ରାମବାସୀଙ୍କ କ୍ରୋଧର ଶିକାର ହେଉଥିବା ବିଷୟ ପ୍ରଶାସନ ଦୃଷ୍ଟିକୁ ଆସୁଚି। ସମସ୍ୟାରୁ ମୁକୁଳିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଓ ମାର୍ଗଦର୍ଶିକାକୁ ଏଯାଏଁ ରାଜ୍ୟ ସରକାର ଠିକ ଭାବେ ପାଳନ କରିନାହାନ୍ତି ବୋଲି କହିଛନ୍ତି ଆଇନଜୀବୀ ରାମପ୍ରସାଦ ପାତ୍ର। ଏଥି ପାଇଁ ସ୍ୱତନ୍ତ୍ର ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବାକୁ ପଡିବ। ଗାଁରେ କାମ କରୁଥିବା କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ପଡିବ ବୋଲି କହିଛନ୍ତି ଶ୍ରୀ ପାତ୍ର। ଏଣିକି ପ୍ରତ୍ୟେକ ବାଲ୍ୟବିବାହ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେଲେ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ।