ନାଉଗାଁ ଥାନା ଏସଆଇ ନିଲମ୍ବିତ

ଜଗତସିଂହପୁର (ଏସ ନ୍ୟୁଜ): ନିଲମ୍ବିତ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଏସଆଇ । କାର୍ଯ୍ୟରେ ଅବହେଳା ନେଇ ଏସଆଇ ବିବେକାନନ୍ଦ ସାହୁଙ୍କୁ ନିଲମ୍ବିତ କରାଯାଇଛି । ସବଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି ଜଗତସିଂହପୁର ଏସପି । ମଦ ମାଫିଆଙ୍କ ସହ ବାର୍ତ୍ତା ଭାଇରାଲ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଥାନାରେ ଡିଉଟି ସମୟରେ ମଦ୍ୟପାନ ସହ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ଆସିବା ପରେ ଏହି ନିଲମ୍ବିତ କରାଯାଇଛି ।ଏ ନେଇ ଏସଆଇଙ୍କର ହ୍ଵାଟସଆପ୍ ଅଡିଓ ଓ ଫଟୋ ଭାଇରାଲ ହୋଇଛି | ଭାଇରାଲ ହେଉଥିବା ହ୍ଵାଟ୍ସଆପ ଅଡିଓରେ ସେ ଜଣେ ଚୋରା ମଦ ବେପାରୀଙ୍କ ସହ କଥା ହୋଇ ମଦ ଓ ମାଂସ ଆଣିବା ପାଇଁ କହୁଥିବା ବେଳେ ଅନ୍ୟ ଜଣଙ୍କୁ ଚିକେନ୍ ଆଣିବା ଲାଗି କହୁଥିବା ଶୁଣିବାକୁ ମିଳିଛି। ଏପରିକି ଦୁଇଟି ଅଡିଓ ଏବଂ ମଦ ବୋତଲ ରଖା ହୋଇଥିବା ଏକ ଟେବୁଲ୍ ସାମ୍ନାରେ ବସିଥିବା ସମୟର ଫଟୋ ଭାଇରାଲ୍ ହେବା ପରେ ପୁଲିସ ୟୁନିଫର୍ମର ଭୟ ଦେଖାଇ ଲୋକଙ୍କୁ ଶୋଷଣ କରିବା ଅଭିଯୋଗ ମଧ୍ୟ ଆସିଛି ।

ଅନ୍ୟ ପକ୍ଷରେ ଏହି ଘଟଣାକୁ ନେଇ ନିଲମ୍ବିତ ହୋଇଥିବା ଏସଆଇ ବିବେକାନନ୍ଦ ସାହୁଙ୍କୁ ତାଙ୍କ ପ୍ରତିକ୍ରିୟା ମାଗିବା ପରେ ସେ କହିଥିଲେ ଯେ ସେ ନିଦରେ ଥିବା ବେଳେ ସେ ଏଭଳି କଥା ହୋଇଥିବା କହିଛନ୍ତି।ଏହା ସହ ଭାଇରଲ ଫଟୋରେ ତାଙ୍କ ହାତରେ ମଦ ଗ୍ଲାସ ନାହିଁ କି ସେ ମଦ ପିଉଥିବାର ଫଟୋ ନାହିଁ ବୋଲି ସଫେଇ ଦେଉଛନ୍ତି। ଥାନାରେ ମଦ ପିଉଥିବା ନେଇ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ କରାଯାଇଛି, ତାହାକୁ ସେ ଅସ୍ବୀକାର କରିଛନ୍ତି।