ବାପାଙ୍କଠାରୁ ବହୁ ପଛରେ ନବୀନ

ବିଜୁବାବୁଙ୍କୁ ଟପିବା ପୁଅ ଗୋପରେ..

ଭୁବନେଶ୍ୱର: ବିଫଳତାକୁ ସଫଳତାର ସହ ଘୋଡ଼ାଇ ପାରିଥିବାରୁ ଲୋକଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ମନ୍ତବ୍ୟ ପ୍ରଦାନ କରିଛି ନ୍ୟାସ୍‌ନାଲ୍‌ ୟୁନିଅନ୍‌ ଫର୍‌ ବ୍ୟାକ୍‌ୱାର୍ଡ କ୍ଲାସ୍‌ (ଏନ୍‌ୟୁବିସି) । ସଂଗଠନର ବରିଷ୍ଠ ନେତା ସୀତାରାମ ବେହେରା କହିଛନ୍ତି, ସର୍ବେକ୍ଷଣ ସଂସ୍ଥା ସୂଚନାକୁ ଭଲ ଭାବରେ ବିଶ୍ଲେଷଣ କଲେ, ନବୀନବାବୁଙ୍କୁ ୭୮ ପ୍ରତିଶତ ପସନ୍ଦ କରିଛନ୍ତି । ୨୩ ବର୍ଷର ମୁଖ୍ୟମନ୍ତ୍ରୀ ୨୯ ପ୍ରତିଶତ ଲୋକଙ୍କ ହୃଦୟରେ ବସି ପାରିନାହାନ୍ତି, ୟା’ଠାରୁ ବଳି ଦୁର୍ଭାଗ୍ୟର କଥା ଆଉ କ’ଣ ହୋଇପାରେ?

ନବୀନବାବୁଙ୍କୁ ଏକ ନମ୍ବରରେ ରଖିବା ପାଇଁ ଇଣ୍ଡିଆ ଟୁଡେ ମାଗାଜିନ ସଂସ୍ଥା ବେଶ ଭଲ ଦି’ ପଇସା ରୋଜଗାର କରିଥିବ । ଏବେ ନବୀନବାବୁଙ୍କ ଦଳ ୧୪୭ ଆସନରୁ ୧୧୪ ଆସନ ଦଖଲ କରିଛି । କିନ୍ତୁ ୧୯୯୦ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ୧୨୩ଟି ଆସନ ଦଖଲ କରିଥିଲା । ୧୯୯୦ ପୂର୍ବରୁ ବିଜୁ ପଟ୍ଟନାୟକ ମାତ୍ର ଦୁଇବର୍ଷ ତିନିମାସ ପାଇଁ ମୁଖ୍ୟମନ୍ତ୍ରୀ ପଦ ଉପଭୋଗ କରିଥିଲେ ।

ପାଂଚଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ନବୀନବାବୁ ବିଧାନସଭାର ୧୧୪ଟି ଆସନ ପାଇଛନ୍ତି । କିନ୍ତୁ ତାଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୧ ଜୁନ୍‌ ୨୩ରୁ ୧୯୬୩ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ (ଅଢେ଼ଇ ବର୍ଷରୁ କମ୍‌) ମୁଖ୍ୟମନ୍ତ୍ରୀ ଥିଲେ । ୧୯୬୩ରୁ ୧୯୯୦ ଦୀର୍ଘ ୨୭ ବର୍ଷ କାଳ ରାଜ୍ୟ କ୍ଷମତାଠାରୁ ଦୂରରେ ଥାଇ ମଧ୍ୟ ବିଜୁ ପଟ୍ଟନାୟକ ୧୯୯୦ ନିର୍ବାଚନରେ ୧୨୩ଟି ଆସନ ଦଖଲ କରିବା ମାମୁଲି କଥା ନୁହେଁ । ନବୀନବାବୁ ଯେତେ ଚେଷ୍ଟା କଲେ ମଧ୍ୟ ବିଜୁବାବୁଙ୍କ ଲୋକପ୍ରିୟତାକୁ ଟପି ପାରିବେନି ।