୨୩ ବର୍ଷ ଭିତରେ କେବଳ ଦୁର୍ନୀତିର ବିକାଶ

ରାଜ୍ୟ ବିଜେପି ୯ ବର୍ଷ ଓ କେନ୍ଦ୍ର ବିଜେପି ୧୭ ବର୍ଷ…

ଭୁବନେଶ୍ୱର: ଦେଶ ସ୍ୱାଧୀନତା ପ୍ରାପ୍ତି ସମୟରେ ମହାତ୍ମା ଗାନ୍ଧୀ “ଭାରତର ଆତ୍ମା ଦିଲ୍ଲୀରେ ନୁହେଁ ପଲ୍ଲୀରେ ଅଛି । ଗ୍ରାମାଂଚଳର ବିକାଶ ଏବଂ ଗରୀବଲାକଙ୍କ ଉତ୍‌ଥାନରେ ସମୃଦ୍ଧ ହେବ ଭାରତବର୍ଷ ।”  ଏହି କଥାକୁ ଗୁରୁତ୍ୱ ଦେଇ କହିଥିଲେ ।ଅନ୍ୟ ପଟେ ପରିବାରବାଦ୍‌, ତୁଷ୍ଟିକରଣ ଓ ଭ୍ରଷ୍ଟାଚାରକୁ ପାଥେୟ କରି କେନ୍ଦ୍ରରେ ମୋଦି ସରକାର ଗତ ୮ ବର୍ଷ ଭିତରେ ଅନେକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନେକ ଗରୀବକଲ୍ୟାଣ ଯୋଜନା ବିଫଳ ହୋଇଛି । ମୋଦି ସରକାରଙ୍କ ପଦାଙ୍କ ଅନୁସରଣ କରି ନବୀନବାବୁ ଓଡିଶାବାସୀଙ୍କୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଏବଂ ଲୋକାଭିମୁଖୀ ଶାସନ ଦେଉଛନ୍ତି କହି ଦୁର୍ନୀତିର ବିକାଶ କରିଛନ୍ତି ।

ନିର୍ବାଚନ ଆସିଲେ ମିଛ ପ୍ରତିଶୃତିର ଭଣ୍ଡାର ଖୋଲି ଦିଅନ୍ତି ରାଜ୍ୟ ସରକାର । ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ (ଶୂନ୍ୟ ସହନଶୀଳତା) ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଗତ ୨୦୧୯ ମସିହା ଅକ୍ଟୋବର ୧୦ରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଶାସନ ସଚିବ / ବିଭାଗୀୟ ନିର୍ଦ୍ଦେଶକ / ଜିଲ୍ଲାପାଳମାନଙ୍କୁ ଦୁର୍ନୀତି ବିରୋଧୀ ଶପଥ ପାଠ କରାଇଲେ । ୩-ଟି / ୫-ଟିର ବ୍ୟାପକ ମାତ୍ରରେ ପ୍ରଚାର ଓ ପ୍ରସାର କରାଯାଇ ଓଡିଶାବାସିଙ୍କୁ ବିଭ୍ରାନ୍ତ କରାଗଲା । ମାତ୍ର ଏହାର ଠିକ୍‌ ବିପରୀତ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରିବା କାରଣରୁ ଦୁର୍ନୀତି ଆଜି ଓଡିଶାକୁ ସମ୍ପୂର୍ଣ ଗ୍ରାସ କରିଛି ।

ଆଜି ରାଜ୍ୟର ଯେକୈାଣସି ଉନ୍ନୟନମୁଳକ କାର୍ଯ୍ୟ ପାଇଁ ପିସିର ମାତ୍ରା ସର୍ବନିମ୍ନ ୧୬ ରୁ ୧୮ ପ୍ରତିଶତକୁ ପହଂଚିଲାଣି । ଚତୁର୍ଦଶ ଓ ପଂଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ରାଜ୍ୟର ବିକାଶମୁଳକ କାର୍ଯ୍ୟ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍‌ କରାଯାଉଛି । ଗ୍ରାମାଂଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଉଦ୍ଦେଶ୍ୟରେ ଥିବା ପଲ୍ଲୀସଭାକୁ ରାଜ୍ୟ ସରକାର ଉଚ୍ଛେଦ କରି ବିଭାଗୀୟ ନିର୍ଦ୍ଦୋଶାନୁଯାୟୀ ସରକାରୀ ଅଧିକାରୀ ଏବଂ ଠିକାଦାରଙ୍କ ସହାୟତାରେ କାର୍ଯ୍ୟ କରାଇଲେ । କାର୍ଯ୍ୟାଦେଶ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ନାମରେ କରାଯାଇ ବିଜେଡି କର୍ମୀଙ୍କ ଜରିଆରେ ସବୁ ଚାଲିଛି । ପଂଚାୟତ ପିଛା ୫ ଲକ୍ଷ ଏବଂ ବ୍ଲକ ପିଛା ୧୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ଜେଇ, ସରକାରୀ ଅଧିକାରୀ ଏବଂ ଶାସକ ବିଜେଡି ସମର୍ଥିତ ଠିକାଦାରଙ୍କ ଦ୍ୱାରା କରାଯାଇ ବ୍ୟାପକ ମାତ୍ରାରେ ଅର୍ଥ ହଡପ୍‌ କରାଗଲା । ୧୩ଟି ବ୍ଲକରେ ୪୫୦ କୋଟି ଟଙ୍କାର କାର୍ଯ୍ୟାଦେଶରେ ୯ କୋଟି ଟଙ୍କାର ଅମାନତ୍‌ ଅର୍ଥକୁ ଶାସକ ବିଜେଡିର ପ୍ରୋତ୍ସାହନରେ ଜେଇ, ସହାୟକ ଯନ୍ତ୍ରୀମାନେ ବାଟମାରଣା କରିଛନ୍ତି । ଯଦି ରାଜ୍ୟର ସମସ୍ତ ୩୧୪ଟି ବ୍ଲକକୁ ହିସାବ କରାଗଲେ, ପାଖାପାଖି ୧୧ ହଜାର କୋଟି ଟଙ୍କା କାର୍ଯ୍ୟାଦେଶରେ ଏହି ଅମାନତ ପରିମାଣ ପାଖାପାଖି ୨୨୫ କୋଟି ଟଙ୍କାରୁ ଅଧିକ ହେବ ଯାହା ଏବେ ବିଜେଡି ପାଣ୍ଠିରେ ।

ନିର୍ବାଚନ ଆସିଲେ ଯୋଜନା ଉପରେ ଯୋଜନା ଘୋଷଣା ଜନ୍ମ ନିଏ କେବଳ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପାଇଁ । ‘ଆମ ଗାଁ, ଆମ ବିକାଶ’; ବିଜୁ ଯୁବ ବାହିନୀ; ପିଠା ଭଳି ଅନେକ ଯୋଜନାର ଆଦି ଅନ୍ତ ନାହିଁ । ଏହି ଯୋଜନାରେ ବ୍ୟାପକ ଅର୍ଥକୁ ହଡପ୍‌ କରିଦିଆଗଲା । ଏପରିକି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟାରେ ଚଂଚକତା କରାଯାଇ ପ୍ରକୃତ ହିତାଧିକାରୀଙ୍କୁ ବଂଚିତ ରଖାଯିବା ସହିତ ଅର୍ଥକୁ ମଧ୍ୟ ବାଟମାରଣା କରାଗଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ବାସହୀନଙ୍କ ଅର୍ଥକୁ ହଡପ୍‌ କରିବାକୁ ମଧ୍ୟ ପଛାଇଲେ ନାହିଁ । ଏ ସବୁ ବିଷୟ ଜାଣି କେନ୍ଦ୍ରର ମୋଦି ସରକାର ନୀରବତା ଅବଲମ୍ବନ କରି ରାଜ୍ୟବାସୀଙ୍କ ତାମସା ଦେଖିଲେ ।

ମଣିଷ ବଦଳରେ ମେସିନରେ କାର୍ଯ୍ୟ କରାଇ ନରେଗା ଅର୍ଥକୁ ହଡପ୍‌ କରାଗଲା । ରାଜ୍ୟରେ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜାନର ତଦାରଖ କମିଟିର ଅଧ୍ୟକ୍ଷ ହେଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ୨୦୧୨ ରୁ ୨୦୧୭ ମସିହା ଭିତରେ ୧୮ ଥର ପରିବର୍ତେ ମାତ୍ର ୪ ଥର ବୈଠକ ଅନୁଷ୍ଠିତ ହୋଇଥିବାର ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଏବଂ ନରେଗା ଦୁର୍ନୀତିକୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରୋତ୍ସାହିତ କରୁଥିବାର ସ୍ପଷ୍ଟ ହୋଇଛି ।

ମୋଟ ଉପରେ କହିଲେ ବିଜେଡିର ୨୩ ବର୍ଷ ଶାସନ ଭିତରେ ରାଜ୍ୟ ବିଜେପି ୯ ବର୍ଷ ଓ କେନ୍ଦ୍ର ବିଜେପି ୧୭ ବର୍ଷ ଓଡିଶାକୁ ଲୁଟିବାର ସୁଯୋଗ ପାଇଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ରାଜ୍ୟବାସୀ ଉଭୟ ବିଜେଡି ଓ ବିଜେପିର ଶୋଷଣ ନୀତିକୁ ଭୁଲିଯିବା ଉଚିତ ନୁହେଁ ।