ନବୀନ ଓଡ଼ିଶା’: ଯାବତୀୟ ପ୍ରଦୂଷଣକୁ ମୁକାବିଲା କରିବ ନବୀନ କାର୍ଡ

ଭୁବନେଶ୍ୱର: ସାରାଦେଶରେ ଭୟଙ୍କର ବାୟୁ ପ୍ରଦୂଷିତ ସହର ଭିତରେ କଟକ, ବାଲେଶ୍ୱର ଓ ଅନୁଗୁଳ ତାଲିକାଭୁକ୍ତ ହୋଇସାରିଛି । ଭୁବନେଶ୍ୱର, କେନ୍ଦୁଝର, ତାଳଚେର, ବାରିପଦା, ରାଇରଙ୍ଗପୁର ବାୟୁମଣ୍ଡଳ ଜନଜୀବନ ପ୍ରତି ମହାବିପଦ ସୃଷ୍ଟି କଲାଣି । ଏହିସବୁ ସହରବାସିନ୍ଦା ଅମ୍ଳଜାନ ତୁଳନାରେ ସଲଫର୍‌ ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ୍‌ ଭଳି ବିଷାକ୍ତ ବାୟୁକୁ ଅଧିକ ପରିମାଣରେ ଗ୍ରହଣ କରୁଛନ୍ତି ଯାହାର ପରିଣାମ ହୃଦଘାତ, ଶ୍ୱାସଜନିତ ରୋଗ, ଫୁସଫୁସ କର୍କଟ, ଯକ୍ଷ୍ମା, ଆଜ୍‌ମା ଭଳି ଭୟଙ୍କର ରୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଉଛି ।

‘ନବୀନ ଓଡ଼ିଶା’ରେ ରାଜ୍ୟ ସରକାର ବିକାଶକୁ ପ୍ରାଥମିକତା ଦେଇଛନ୍ତି । ବିକାଶର ଧାରା ଯେତିକି ଆଗେଇବ, ରାଜ୍ୟର ବାୟୁ, ଜଳ, ମାଟି ସେତିକି ବିଷାକ୍ତ ହେବ । ଜନଜୀବନ ସେତିକି ପରିମାଣରେ କ୍ଷତିଗ୍ରସ୍ତ ହେବ ।

ତଥାପି ଆମେ ଚିନ୍ତିତ ନୁହେଁ କାରଣ ଆମ ଗହଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି । ରୋଗମୁକ୍ତ ଜୀବନ ଯାପନ ପାଇଁ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବନାମ ନବୀନ କାର୍ଡ ଯୋଗାଣ କରାଯାଇଛି । ସେହି କାର୍ଡ ହି ବିଷାକ୍ତ ବାୟୁମଣ୍ଡଳରୁ ଲୋକଙ୍କୁ ସୁରକ୍ଷିତ ରଖିପାରିବ ।

ଏ କଥା ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କ କାନରେ ପହଂଚାଇବା ପାଇଁ ବିଜେଡି ପକ୍ଷରୁ ‘ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା’ ଅଭିଯାନ ଆରମ୍ଭ କରାଯାଇଛି ।