ନବୀନ ଓଡ଼ିଶା ବିକିବ ଚାଉଳ, ତେଲ, ଡାଲି

କେନ୍ଦ୍ର ସରକାର ବିକିଲେ ଭାରତ ଅଟା, ଡାଲି

କେନ୍ଦ୍ର ସରକାରଙ୍କୁ ଅନୁସରଣ କରିବାରେ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାର ମାହିର । ଦେଶବାସୀଙ୍କୁ କିଲୋ ପିଛା ୨୭ ଟଙ୍କା ୫୦ ପଇସାରେ ଭାରତ ଅଟା ବିକିବେ କେନ୍ଦ୍ର ସରକାର । ସୋମବାର କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଦିଲ୍ଲୀରେ ଅଟା ବୋଝେଇ ଗାଡ଼ିକୁ ପତାକା ହଲାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ସୂଚନା ମୁତାବକ ବଜାରରେ ୧୦ କିଲୋ ଓ ୩୦ କିଲୋ ପରିମାଣର ଅଟା ପ୍ୟାକେଟ୍‌ ବିକାଯିବ । ଦେଶର ପ୍ରାୟ ୨୦୦୦ଟି ଆଉଟ୍‌ ଲେଟ୍‌ ଖୋଲାଯାଇଛି । ନାଫେଡ୍‌, ଏନସିସିଏଫ୍‌, ମଦର ଡାଏରୀ ସମେତ ଅନ୍ୟାନ୍ୟ ସଂସ୍ଥାନକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।

ଲୋକଙ୍କୁ ଅଟା ବିକିବା ପାଇଁ ବିଭିନ୍ନ ସଂଗଠନ ମାଧ୍ୟମରେ ଅଢେ଼ଇ ଲକ୍ଷ ମେଟ୍ରିକ ଟନ୍‌ ଗହମ ସଂଗ୍ରହ କରାଯାଇଛି । ଏବେ ଦେଶରେ ଅଟା କିଲୋ ୩୫ ଟଙ୍କାରେ ବିକାଯାଉଛି । ଖୁଚୁରା ବଜାରରେ ଗହମ ଦର କିଲୋ ପିଛା ୩୦-୪୦ ଟଙ୍କା ଥିବାରୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । କଂପାନୀ ମୋହର ଲଗା ଅଟା କିଲୋ ପିଛା ୪୦-୫୦ ଟଙ୍କା ହେଲାଣି । ଆଗାମୀ ଦିନରେ ଖାଇବା ତେଲ, ଡାଲି ସମେତ ଅତ୍ୟାବଶ୍ୟକ ସାମଗ୍ରୀ ବିକିବା କାମ ହାତକୁ ନିଆଯିବ ।

କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛି ଏନୟୁବିସି । ଏନୟୁବିସି ତା’ ପ୍ରତିକ୍ରିୟାରେ କହିଛି, ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ ନକରି ସରକାର ଆପଣା ସ୍ତରରେ ଅଟା, ଚାଉଳ, ତେଲ, ଡାଲି ବିକିବା ଆରମ୍ଭ କରିଛନ୍ତି ଖାସ୍‌ କେବଳ ଭୋଟରଙ୍କୁ ମନାଇ ଭୋଟ ହାତେଇବା ପାଇଁ ।

ମୋଦୀ ସରକାରଙ୍କ ପଦାଙ୍କ ଅନୁସରଣ କରି ନବୀନ ସରକାର ନବୀନ ଓଡ଼ିଶା ଜରିଆରେ ଶସ୍ତାଦରରେ ଚାଉଳ, ତେଲ, ଡାଲି ବିକିବା କରିପାରନ୍ତି ବୋଲି ବିଜୁ ଜଳକା ଦଳ ପ୍ରତିକ୍ରିୟାରେ କହିଛି ।