160×600
160×600

ନବୀନଙ୍କ ନିଯୁକ୍ତି ପ୍ରହସନକୁ ୨୩ ବର୍ଷ

ଚାକିରି ଆଶାୟୀଙ୍କ ଅଭିଶାପରେ ବିଜେଡି ଜଳିଯିବ

ଭୁବନେଶ୍ୱର: ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ନବୀନ ପଟ୍ଟନାୟକଙ୍କ ସରକାର ଯାବତୀୟ ତ୍ରୁଟିପୂର୍ଣ୍ଣ ଉପାୟ ଅବଲମ୍ବନ କରି ଉପହାସର ପାତ୍ର ହେଉଛନ୍ତି । ଏଥିରେ ସରକାର ଓ ପ୍ରଶାସନର କିଛି କ୍ଷତି ହେଉନାହିଁ; ମାତ୍ର ଚାକିରି ଆଶାୟୀଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଛି । ନିର୍ଦ୍ଧାରିତ ସମୟ ଭିତରେ ଲିଖିତ ଓ ସାକ୍ଷାତକାର ପରୀକ୍ଷା ସାରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ପରୀକ୍ଷା ଘୁଂଚାଇବା ସରକାରଙ୍କର ଦେହସୁହା ହୋଇଗଲାଣି । ଗତ ୨୩ ବର୍ଷର ଶାସନ ଭିତରେ ନବୀନଙ୍କ ସରକାର ଯେତିକି ଯୁବକ ଯୁବତୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିଛନ୍ତି । ତା’ର ଚାରିଗୁଣ ନିଯୁକ୍ତି ହଟଚମଟ କରିଛନ୍ତି । ଭାତହାଣ୍ଡିରୁ ଗୋଟିଏ ଚିପିବା ପରି ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଂଟ ବୋର୍ଡ ପରିଚାଳିତ ସବ୍‌- ଇନ୍‌ସ୍ପେକ୍ଟର ପରୀକ୍ଷାର ତ୍ରୁଟିପୂର୍ଣ୍ଣ ଅଧ୍ୟାୟକୁ ଆଲୋଚନାର ପରିସରଭୁକ୍ତ କରାଯାଉ ।

୨୦୧୮ରେ ଓଏସ୍‌ଏସ୍‌ସି ପକ୍ଷରୁ ପ୍ରକାଶିତ ବିିଜ୍ଞପ୍ତି ଅନୁସାରେ ସବ୍‌-ଇନ୍‌ସ୍ପେକ୍ଟର ପରୀକ୍ଷା ପାଇଁ ଶିକ୍ଷିତ ଯୁବକ ଯୁବତୀଙ୍କଠାରୁ ଆବେଦନ ପତ୍ର ଆହ୍ୱାନ କରାଯାଇଥିଲା । ପରେ ବିଭିନ୍ନ କାରଣରୁ ଉକ୍ତ ପରୀକ୍ଷା ଗଡ଼ିବାକୁ ଆରମ୍ଭ କରିଥିଲା । ୨୦୨୨ରେ ଉକ୍ତ ପରୀକ୍ଷା ପରିଚାଳନା ଭାର ଓଡ଼ିଶା ପୁଲିସ ରିକ୍ରୁଟମେଂଟ ବୋର୍ଡ (ଓପିଆରବି) ହାତକୁ ଗଲା । ତଦନୁଯାୟୀ ୨୦୨୨ ଜୁଲାଇରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା; ମାତ୍ର ଓଡ଼ିଆ ପ୍ରଶ୍ନପତ୍ର ତ୍ରୁଟି କାରଣରୁ ଅଗଷ୍ଟ ୨୦ ତାରିଖରେ ସାନି ପରୀକ୍ଷା କରାଯିବାର ଥିଲା । ନିର୍ଦ୍ଧାରିତ ସମୟରେ ପିଲାମାନେ ପରୀକ୍ଷା କେନ୍ଦ୍ରରେ ପହଂଚିଥିଲେ । ପ୍ରଥମ ବ୍ୟାଚ୍‌ ପରୀକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ପ୍ରଶ୍ନପତ୍ର ଡାଉନ୍‌ଲୋଡ୍‌ ହୋଇ ନପାରିବାରୁ ପରୀକ୍ଷାର୍ଥୀମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ପରେପରେ ଓପିଆରବି ପକ୍ଷରୁ ଶନିବାର ପରୀକ୍ଷା ବାତିଲ କରାଯାଇଥିଲା । ପୁଣିଥରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯିବା ପରେ ପିଲାମାନଙ୍କୁ ଜଣାଇ ଦିଆଯିବ ବୋଲି ଓପିଆରବି ଅଧ୍ୟକ୍ଷ କହିଛନ୍ତି ।
ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି, ଓପିଆରବି ନିକଟରେ ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକ ଭିତିଭୂମି ନଥିବାରୁ ଏକ ସଫ୍ଟୱେୟାର ସଂସ୍ଥାର ସାହାଯ୍ୟ ନିଆଯାଇଥିଲା । ମାତ୍ର ଉକ୍ତ ସଂସ୍ଥା ଠିକ୍‌ ସମୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଯୋଗାଇ ନପାରିବାରୁ ଓପିଆରବି ଲୋକହସା ହେଲା । କଟକ, ଭୁବନେଶ୍ୱର, ଚୌଦ୍ୱାର ଭଳି ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପିଲାମାନେ ପାଟିତୁଣ୍ଡ କରିଥିଲେ । ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ତୀବ୍ର ନିନ୍ଦା କରିଥିଲେ । ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପରୀକ୍ଷା କେନ୍ଦ୍ରରେ ପହଂଚି ପରୀକ୍ଷାର୍ଥୀଙ୍କଠାରୁ ଅସନ୍ତୋଷର କାରଣ ବୁଝିଥିଲେ ।
ଶୁଣିବାକୁ ମିଳୁଛି, ଓପିଆରବି ପକ୍ଷରୁ ୨୦୧୮ ବିଜ୍ଞପ୍ତିକୁ ସଂପୂର୍ଣ୍ଣ ବାତିଲ କରାଯାଇ ନୂତନ ବିଜ୍ଞପ୍ତି ପ୍ରକାଶ ପାଇବ । ଓପିଆରବିର ଏପରି ପଦକ୍ଷେପ ଚାକିରି ଆଶାୟୀଙ୍କ ଭବିଷ୍ୟତ ସହ ଖେଳିବାକୁ ବୁଝାଇବ । ଚାକିରି ପାଇଁ ବହୁ ଗରିବ ଆଶାୟୀ ନିର୍ଦ୍ଧାରିତ ପରୀକ୍ଷା ଫିସ୍‌ ଦାଖଲ କରିଥିବେ । ଅଧିକାଂଶ ପିଲା ଶାରୀରିକ ଫିଟ୍‌ନେସ୍‌ ହରାଇବାର ଆଶଙ୍କା ଦେଖାଦେଇଛି । ନବୀନ ସରକାରଙ୍କ ନିଯୁକ୍ତି ପ୍ରହସନ ଆଗାମୀ ନିର୍ବାଚନରେ ବିଜେଡିକୁ କ୍ଷତିଗ୍ରସ୍ତ କରିବ ବୋଲି ବହୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ପ୍ରତିକ୍ରିୟାରେ କହିଛନ୍ତି ।

ରାଜ୍ୟର ଶିକ୍ଷିତ ବେରୋଜଗାରଙ୍କ ସଂଖ୍ୟା ଏବେ ୫୦ ଲକ୍ଷ ଟପିଛି । ସମସ୍ତଙ୍କୁ ସରକାରୀ ବିଭାଗରେ ନିଯୁକ୍ତି ପ୍ରଦାନ ଅସମ୍ଭବ । ରାଜ୍ୟର ମାନବ ସମ୍ବଳକୁ କେବଳ ନିର୍ବାଚନ ବାଟରେ ବିନିଯୋଗ କରିବା ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ । ମାତ୍ର ମାନବ ସମ୍ବଳକୁ ସୁବିନିଯୋଗ କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧି କରିବାର ବାଟ ନବୀନବାବୁଙ୍କ ପାଂଚ ଟାଉଟରଙ୍କୁ ମାଲୁମ ନାହିଁ ।