ବଂଶବାଦ ରାଜନୀତି: କଂଗ୍ରେସଠାରୁ ବହୁତ ଆଗରେ ବିଜେପି

ଲୋକହସାର ପାତ୍ର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଉ ପରିବାର ରାଜନୀତିକୁ ପ୍ରଧାନ ଅସ୍ତ୍ର କରି କଂଗ୍ରେସକୁ ଚୋଟ ମାରିଛନ୍ତି । ବିଜେପି ତା’ର ପରିଣାମ ଭୋଗିବ । ଲାଲକିଲ୍ଲାରୁ କଂଗ୍ରେସର ପାରିବାରିକ ରାଜନୀତିକୁ ସମାଲୋଚନା କରିବା ବଦଳରେ ମୋଦୀ ନିଜ ଦଳକୁ ଅନୁଧ୍ୟାନ କରିବା ଜରୁରୀ ଥିଲା । ‘ଆମ ଜନତା ଦଳ’ ଆବାହକ ସୀତାରାମ ବେହେରା କହିଛନ୍ତି, କଂଗ୍ରେସ ଭଳି ବିଜେପି ମଧ୍ୟ ପରିବାର ଶାସନକୁ ଆଦରିଛି । ଭାରତରେ ଗଣତନ୍ତ୍ରର ମୂଳପିଣ୍ଡ ହେଉଛି ପରିବାର ଶାସନ । ଶତାବ୍ଦୀ ଶତାବ୍ଦୀ ଧରି ରାଜାରାଜୁଡ଼ାଙ୍କ ଅଧୀନରେ ରହି ଆସୁଥିବା ଭାରତୀୟମାନେ ପାରିବାରିକ ରାଜନୀତିକୁ ଛାଡ଼ି ପାରୁନାହାନ୍ତି । ଏବେ ମଧ୍ୟ ଭାରତର ଅନେକ ସ୍ଥାନରେ ରାଜବଂଶ ଦାୟାଦଙ୍କ ରାଜାଭିଷେକ ପରମ୍ପରା ଚାଲିଛି । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜାଭିଷେକ ରୀତି ଗଣତନ୍ତ୍ରକୁ ଅପମାନ ।

ବିଜେପିର ୩୦୦ ସାଂସଦଙ୍କ ଭିତରୁ ୩୦ ଜଣ ପାରିବାରିକ ରାଜନୀତି ଦାୟାଦ । ମୋଦୀଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଅନୁରାଗ ଠାକୁର, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ନେତା ପୀୟୁଷ ଗୋୟଲ ରାଜନୀତି ପରିବାରରୁ ଆସିଛନ୍ତି । ଲୋକସଭା ସାଂସଦ ପୁନମ ମହାଜନ ହେଉଛନ୍ତି ଦିବଙ୍ଗତ ବିଜେପି ନେତା ପ୍ରମୋଦ ମହାଜନଙ୍କ ଝିଅ । ସାଂସଦ ପ୍ରୀତମ ମୁଣ୍ଡେ ହେଉଛନ୍ତି ପୂର୍ବତନ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ପୁଅ । ସାଂସଦ ସୁଜୟ ଭିଖେ ପାଟିଲଙ୍କ ବାପା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଏବଂ ଏସିଆର ପ୍ରଥମ ଚିନି ସମବାୟ ସମିତି ପ୍ରତିଷ୍ଠାତା । ସାଂସଦ ହୀନା ଗାଭିତଙ୍କ ବାପା ମହାରାଷ୍ଟ୍ରରେ ମନ୍ତ୍ରୀ ଅଛନ୍ତି । ସାଂସଦ ଧୈର୍ଯ୍ୟଶୀଳ ମାନେ ମଧ୍ୟ ରାଜନୀତି ପରିବାରରୁ ଆସିଛନ୍ତି । ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ରାଜନୀତି ପରିବାରରୁ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ମହାରାଷ୍ଟ୍ରରେ ବିଧାୟକ ଅଛନ୍ତି । ଏକା ବିଜେପି ନୁହେଁ, ବିଜେପି ଗୋଠରେ ସାମିଲ ହୋଇଥିବା ବହୁ ରାଜନୈତିକ ଦଳର ଅସ୍ତିତ୍ୱ ପରିବାରତନ୍ତ୍ର ଉପରେ ଠିଆ ହୋଇଛି । ପଶ୍ଚିମବଙ୍ଗ ବିଜେପିର ଲୋକପ୍ରିୟ ଚେହେରା ଶୁଭେନ୍ଦୁ ଅଧିକାରୀ ଏପରି ଏକ ରାଜନୀତି ପରିବାରରୁ ଆସିଛନ୍ତି ଯାହାର ଚେର ପୋତିଛନ୍ତି ତୃଣମୂଳ କଂଗ୍ରେସ ପ୍ରତିଷ୍ଠାତା ମମତା ବାନାର୍ଜୀ । ହରିଆଣା ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ବରିଷ୍ଠ ରାଜନେତା ଦେବୀଲାଲଙ୍କ ଦାୟାଦ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ବିଜେପିରେ ମିଶିଛନ୍ତି ।

କ୍ୟାବିନେଟ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାପା ମାଧବରାଓ ସିନ୍ଧିଆ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ । ସିନ୍ଧିଆ ପରିବାର କଂଗ୍ରେସରୁ ହିଁ ରାଜନୀତି ଆରମ୍ଭ କରିଥିଲେ । କୋଉ ପରିସ୍ଥିତିରେ ଜ୍ୟୋତିରାଦିତ୍ୟ କଂଗ୍ରେସରୁ ଅଲଗା ହେଲେ, ତାହା ଆମେ ସମସ୍ତେ ଜାଣିଛୁ । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମା’ ବିଜୟାରାଜେ ସିନ୍ଧିଆଙ୍କ ବଳିଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ କାହାକୁ ଅଛପା ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସହ ମିଶି ବିଜୟାରାଜେ ବିଜେପି ପ୍ରତିଷ୍ଠା କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ । ସଂକ୍ଷେପରେ କହିଲେ, ଭାରତର ଦୁଇ ଜାତୀୟ ରାଜନୈତିକ ଦଳ ପାରିବାରିକ ରାଜନୀତିକୁ ଛାଡ଼ି ଶାସନ କରିପାରିବେନି । ଯେ ପର୍ଯ୍ୟନ୍ତ ଭାରତୀୟ ଜନତାଙ୍କ ମନରୁ ପରିବାର ମୋହ ନଛାଡ଼ିଛି, ସେ ପର୍ଯ୍ୟନ୍ତ ଭାରତର ଗଣତନ୍ତ୍ର ପରିବାର ରାଜନୀତିରୁ ମୁକ୍ତ ରହିପାରିବନି ।