ନବୀନଙ୍କ ଲୋକପ୍ରିୟ ଖଟିଆବୁହା ଯୋଜନା

ମହିଳା ରୋଗୀଙ୍କୁ ୫ କିମି ନିଆଗଲା ଖଟିଆରେ……

ମୋହନା: ବର୍ଷା କାରଣରୁ ପାହାଡ଼ିଆ ରାସ୍ତାରେ ଚାଲିଚାଲି ଯିବା କଷ୍ଟକର । ମାତ୍ର ପରିସ୍ଥିତିର ଦାସ ମଣିଷ ସେହି ରାସ୍ତାରେ ବାପୁଙ୍କ ସ୍ୱପ୍ନକୁ ଖଟିଆରେ ଶୁଆଇ ୫ କିମି ଅତିକ୍ରମ କରିଛି । ଆମେ ଆଲୋଚନା କରୁଛୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ଖଟିଆବୁହା ଯୋଜନା ବିଷୟରେ । ଓଡ଼ିଶାର ଗଜପତି ଜିଲ୍ଲାର ଗୋଟିଏ ଅଂଚଳରେ ଐତିହାସିକ ଖଟିଆବୁହା ଯୋଜନା କ୍ରମେ ଲୋକପ୍ରିୟ ହେବାକୁ ଲାଗିଛି । ଅଦିନିଆ ବର୍ଷାରେ ପାହାଡ଼ିଆ ରାସ୍ତାଟି ଧୋଇଯାଇଛି ।

ଗୋଟିଏ ପରିବାର ସେହି ରାସ୍ତାରେ ଜଣେ ଯନ୍ତ୍ରଣା ଜର୍ଜରିତ ମହିଳାଙ୍କୁ ଖଟିଆରେ ଶୁଆଇ ବୋହିବାବୁ ବାଧ୍ୟ ହୋଇଛି । ମୋହନା ବ୍ଲକ ବିରିକୋଟ ପଂଚାୟତ ପିଲିକା ନିବାସୀ ସୁକାନ୍ତ ମଣ୍ଡଳଙ୍କ ପତ୍ନୀଙ୍କୁ ଆମ୍ବୁଲାନ୍ସ ନିକଟରେ ପହଂଚାଇବା ପାଇଁ ଖଟିଆରେ ୫ କିମି ନିଆଯାଇଥିଲା । ରାସ୍ତା ଖରାପ କାରଣରୁ ଆମ୍ବୁଲାନ୍ସ ପୀଡ଼ିତାଙ୍କ ଘର ନିକଟରେ ପହଂଚି ପାରିଲାନି । ମୁଖ୍ୟମନ୍ତ୍ରୀଙ୍କ ଖଟିଆବୁହା ଯୋଜନାକୁ ଲୋକପ୍ରିୟ କରିବା ପାଇଁ ଗାଁକୁ ପକ୍କା ସଡ଼କ କରାଯାଇନି ।

ଆଶାଦିଦିଙ୍କ ପରାମର୍ଶରେ ପରିବାର ଲୋକେ ଗର୍ଭବତୀଙ୍କୁ ପିଲିକା ଗାଁରୁ ପୁଇପାଣି ଚକ ପର୍ଯ୍ୟନ୍ତ ପ୍ରାୟ ୫ କିମି ପାହାଡ଼ିଆ ରାସ୍ତା ବୋହିଥିଲେ । ପ୍ରସୂତିଙ୍କୁ ବିରିକୋଟ ମେଡିକାଲରେ ପହଂଚାଇଥିଲା ଆମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଜନତାଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଖଞ୍ଜିଛନ୍ତି ମାତ୍ର ବାପୁଙ୍କ ରାମରାଜ୍ୟ ଯୋଉ ଗ୍ରାମରେ ରହିଛି; ସେ ଗ୍ରାମକୁ ନିତିଦିନିଆ ସ୍ଥାୟୀ ରାସ୍ତାଟିଏ ତିଆରି କରିପାରିଲେନି ।