ରାଜ୍ୟରେ ଆସନ୍ତା ୭ରୁ ସହରାଞ୍ଚଳରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଆସନ୍ତା ୭ ତାରିଖରୁ ଏହି ନିୟମ ଲାଗୁ ହେବ । ଆସନ୍ତା ୭ ତାରିଖ ଭୋର ୫ଟାରୁ ଫେବୃଆରୀ ୧ ତାରିଖ ଭୋର ୫ଟା ଯାଏଁ କର୍ଫ୍ୟୁ ଲାଗୁରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରିରହିବ ।

ସେହିପରି ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସ୍‌ରୁମ ପାଠପଢା ବନ୍ଦ ରହିବା ସହ ପୂର୍ବପରି ଅନଲାଇନ୍‌ରେ ପାଠପଢା ହେବ । ସେହିପରି ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ବ୍ରତଘର କାର୍ଯ୍ୟ ଚାଲୁରହିବ । ଅନ୍ତୋଷ୍ଟି କ୍ରିୟାରେ ୫୦ରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇପାରିବେ ନାହିଁ । ଅନ୍ୟପଟେ ମାଟ୍ରିକ ସମେଟିଭ ପରୀକ୍ଷା ଚାଲୁ ରହିବ । ସେହିପରି ହାଟ, ଦୋକାନ ବଜାର ମାଲିକଙ୍କୁ କୋଭିଡ ଗାଇଡଲାଇନ୍‌ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ନିୟମ ପାଳନ ନକଲେ ଦୋକାନକୁୁ ୭ ଦିନ ପାଇଁ ସିଲ କରାଯିବ ।

ଅନ୍ୟପକ୍ଷରେ ରାଜ୍ୟରେ ପିକ୍‌ନିକ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । କୌଣସି ହୋଟେଲ, ମଲ, ଏବଂ କଲ୍ୟାଣ ମଣ୍ଡପରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଧାର୍ମିକ ପୀଠରେ କେବଳ ନୀତିକାନ୍ତି କରାଯିବ । ସେହିପରି ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପବ୍‌ରେ ୫୦ ପ୍ରତିଶତରେ ଚାଲୁରହିବ । ସେହିଭଳି ରାସ୍ତା ଘାଟରେ ଷ୍ଟ୍ରିଟ୍‌ ବ୍ୟବସାୟୀମାନେ ରାତି ୯ଟା ଯାଏଁ ବ୍ୟବସାୟ କରିପାରିବେ । ଯାତ୍ରାରେ ହଜାରେରୁ ଉର୍ଦ୍ଧ୍ୱ ଲୋକ ଏକାଠି ହୋଇପାରିବେ ନାହିଁ । ସେହିପରି କୌଣସି ସରକାରୀ ମିଟିଂ, ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ରହିପାରିବେ ନାହିଁ । ଅପରପକ୍ଷେ ଘରୋଇ ଅଫିସଗୁଡିକରେ କମ କର୍ମଚାରୀଙ୍କୁ ନେଇ କାମ କରିବେ । ଅନ୍ୟପକ୍ଷରେ ଯଦି ଆଗାମୀ ଦିନରେ କୋଭିଡ ଅଧିକ ଭୟଙ୍କର ହୁଏ ତେବେ କଟକଣା ଆହୁରି କଡାକଡି କରିବାକୁ ରାଜ୍ୟ ସରକାର ବାଧ୍ୟ ହେବେ । ତେଣୁ ସମସ୍ତେ କୋଭିଡ ଗାଇଡଲାଇନ ମାନିବାକୁ କହିଛନ୍ତି ରାଜ୍ୟ ସରକାର ।