ବସ୍ତିକୁ ଚାଲ ଅଭିଯାନ

ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଗତ କିଛି ମାସ ପୂର୍ବରୁ ଆରମ୍ଭ କରାଯାଇଥିବା “ବସ୍ତିକୁ ଚାଲ” ଅଭିଯାନରେ ୩୦ଟି ଫୋକସ୍ ବସ୍ତିକୁ ସାମିଲ କରାଯାଇଛି।  ଏହି ଅଭିଯାନରେ କମିଶନରେଟ୍ ପୁଲିସ୍ ପକ୍ଷରୁ ପ୍ରତିଟି ବସ୍ତିରେ ବସ୍ତି ମିତ୍ର ନିୟୋଜନ କରାଯିବା ସହ ବସ୍ତିର ଆଗ୍ରହୀ ଯୁବକ ମାନଙ୍କୁ ନେଇ ପୁଲିସ୍ ମିତ୍ର ନିୟୋଜନ କରାଯାଇଛି । ଏହି ଅଭିଯାନ କ୍ରମରେ ଗତ ୨୦୨୧ ମସିହା ଡିସେମ୍ବର ମାସରେ ବସ୍ତି ଅଞ୍ଚଳରେ ବିଭିନ ପ୍ରକାରର ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଓଡିଶା ଖଣି ନିଗମ, ଲଳିତକଳା ଏକାଡେମୀ ଓ  FICCI, FLO ଅନୁଷ୍ଠାନର ମିଳିତ ସହଯୋଗରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଦ୍ଵାରା ଫୋକସ ବସ୍ତିମାନଙ୍କରେ  ବୟସ ନିର୍ବିଶେଷରେ ୭୦୦ ଜଣ ପିଲା ଓ ୧୦୦୦ଜଣ ମହିଳାଙ୍କୁ ନେଇ ଝୋଟି, ମୁରୁଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଲଳିତ କଳା ଏକାଡେମୀ ତରଫରୁ ବିଚାରକମଣ୍ଡଳୀ ଗଠନ କରାଯାଇ ଶ୍ରେଷ୍ଠ ବିବେଚିତ କଳାକୃତିକୁ ଏକାଡେମୀର ଗ୍ୟାଲେରୀରେ ସର୍ବସାଧାରଣଙ୍କ ପ୍ରଦର୍ଶନୀ ନିମନ୍ତେ ସ୍ଥାନିତ କରାଯାଇଥିଲା।

ସେହିଭଳି ଶୀତ ଲହରିକୁ ଦୃଷ୍ଟିରେ ରଖି ବିଭିନ୍ନ ବସ୍ତିରେ ବୁଲି ସମୀକ୍ଷା ପରେ ସେଠାରେ ରହୁଥିବା ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ, ପଲିଥିନ ତଥା କମ୍ବଳ ଇତ୍ୟାଦି ପ୍ରଦାନ କରାଯାଇଥିଲା। ବିଭିନ୍ନ ସମୟରେ କମିଶନରେଟ୍ ପୁଲିସ ପକ୍ଷରୁ ବସ୍ତିର ପିଲାମାନଙ୍କୁ ଖାତା, କଲମ, ପେଣ୍ଟିଂ ପେପର୍, ରଙ୍ଗ ତୁଳୀ ଓ ରଙ୍ଗ ବଣ୍ଟନ କରାଯିବା  ସହ କେତେକ ବସ୍ତିରେ ମାଗଣା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ବସ୍ତିବାସିନ୍ଦା ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ବସ୍ତିରେ ସଚେତନତା ସୃଷ୍ଟି କରିବା ନିମନ୍ତେ ନିୟୋଜିତ ବସ୍ତି ମିତ୍ର ଓ ପୁଲିସ୍ ମିତ୍ରଙ୍କ ଉଦ୍ୟମ କ୍ରମେ ଫୋକସ ବସ୍ତି ଗୁଡିକରେ ପ୍ରତି ରବିବାର ଦିନ ସଫେଇ କାର୍ଯ୍ୟ କରାଯିବା ସହ କୋଭିଡ୍ ସୁରକ୍ଷା, ଶିକ୍ଷା ଓ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚନା ପ୍ରଦାନ କରାଯାଉଛି। ବସ୍ତିମାନଙ୍କରେ ଘଟୁଥିବା ଅପରାଧକୁ ହ୍ରାସ କରିବା ସହ ଅପରାଧରେ ଜଡ଼ିତ ବ୍ୟକ୍ତି ତଥା ଅନ୍ୟାନ୍ୟ ତଥ୍ୟ ସମ୍ବନ୍ଧରେ ସୂଚନା ମିଳି ପାରୁଛି। ପୁଲିସ୍ ଓ ବସ୍ତିବାସିନ୍ଦା ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି କରାଯିବା ସହ ସେମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଖୋଜି ବାହାର କରିବା ଏବଂ ବସ୍ତିକୁ ନିଶା ମୁକ୍ତ କରିବା ପାଇଁ ଏହି ଅଭିଯାନ ତାର ପ୍ରୟାସ ଜାରି ରଖିଛି।

ଏହି ପରିପ୍ରେକ୍ଷୀରେ ବସ୍ତିର ପ୍ରତିଭା ମାନେ ନୂତନ ବର୍ଷକୁ ସ୍ଵାଗତ ଜଣାଇ ସେମାନଙ୍କୁ ପୁଲିସ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ପେଣ୍ଟିଂ ପେପର୍ ଓ ରଙ୍ଗର ବ୍ୟବହାର କରି ପ୍ରସ୍ତୁତ କରିଥିବା ସୁନ୍ଦର ଚିତ୍ର ମଧ୍ୟରୁ ଶ୍ରେଷ୍ଠ ଚିତ୍ର କଳାଗୁଡ଼ିକୁ ନବ ବର୍ଷର ଗ୍ରୀଟିଂଗ୍ସ୍ କାର୍ଡ ଭାବେ ବିକ୍ରି ନିମନ୍ତେ ସଂରକ୍ଷିତ କରି ରଖାଯିବା ସହ  ବିକ୍ରି ଲବ୍ଧ ରାଶି ସେହି ପ୍ରତିଭା ମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଇବାର ବ୍ୟବସ୍ଥା କରାଯାଇଛି।