ଦେଶରେ ସୁଧୁରୁଛି ଆର୍ଥିକ ଅବସ୍ଥା: ନିର୍ମଳା ସୀତାରମଣ


ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ଦେଶର ଅର୍ଥବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ଆସିଛି। ମାମମ୍ରି ଯୋଗୁ ଦେଶର ଅର୍ଥବ୍ୟବସ୍ଥାରେ ଯେଉଁ ଆର୍ଥିକ ଚାପ ପଡିଥିଲା ତାହା ଦ୍ରୁତ ଗତିରେ ସୁଧାର ଆସିଛି। ଏନେଇ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ପ୍ରତିକ ପରିସଂଖ୍ୟାନ ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହେବା ସହ ଅକ୍ଟୋବର- ଡିସେମ୍ବର ତ୍ରୟମାସିକରେ ଅର୍ଥବ୍ୟବସ୍ଥାରେ ସକରାତ୍ମକ ଅଭିବୃଦ୍ଧି ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ସୂଚାଇ ଦେଇଥିବା ସୀତାରମଣ କହିଛନ୍ତି।

ଅର୍ଥବ୍ୟବସ୍ଥାରେ କଣ କଣ ସୁଧାର ଆସିଛି ସେ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ , ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ସେୟାର ବଜାରର ସ୍ଥିତି ମଧ୍ୟ ଭଲ ରହିଛି। ମୁଡିସ୍‌ ମଧ୍ୟ ଭାରତର ଅର୍ଥବ୍ୟବସ୍ଥାର ରେଟିଂରେ ଉନ୍ନତି ଆଣିଛି। ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥା ନେଇ ମୁଡିସ୍‌ର ଯେଉଁ ରେଟିଂ ଥିଲା ସେହି ସ୍ଥିତିରେ ବହୁ ସୁଧାର ଆସିଛି। ଏଥି ସହିତ ରେଳବାଇରେ ମାଲ ପରିବହନ ୨୦% ବୃଦ୍ଧି ପାଇଛି। ବ୍ୟାଙ୍କ ଋଣ ବିତରଣ ମଧ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କଗୁଡିକ ଅଧିକ ଋଣ ଦେଇଛନ୍ତି । ଦେଶରେ ନିବେଶ ବଢିବାରେ ଲାଗିଛି । ଆତ୍ମନିର୍ଭର ଭାରତ ଯୋଜନାରେ ବହୁ ପଦକ୍ଷେପ ନିଆଯାଇଛି । ୧.୫୭ ଲକ୍ଷ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦିଆଯାଇଛି । ମତ୍ସ୍ୟ ସମ୍ପଦ ଯୋଜନାରେ ଚାଷୀଙ୍କୁ ଲାଭ ମିଳିଛି। ଅକ୍ଟୋବର- ଡିସେମ୍ବର ତ୍ରୟମାସିକରେ ଅର୍ଥନୀତିରେ ଉନ୍ନତି ହେବ। ଏଫ୍‌ପିଆଇ ର ନିଟ୍ ବିନିଯୋଗ ମଧ୍ୟ ସକରାତ୍ମକ ହୋଇଛି । ଜିଏସ୍ଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ୫୬୦ ବିଲିୟନ ଡ଼ଲାର ରେକର୍ଡରେ ପହଞ୍ଚିଛି।

ଅନ୍ୟପଟେ ସରକାର ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା ନୂଆ ନିଯୁକ୍ତି ଓ ରୋଜଗାର ସୃଷ୍ଟି ହୋଇପାରିବ । ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କୋଭିଡ ୧୯ ମହାମାରୀ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ସେ ୧.୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଆଉ ଏକ ଉତ୍ସାହ ପ୍ୟାକେଜ ଘୋଷଣା କରିପାରନ୍ତି।ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ୧୨ଟି ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଏହା ସହ ୧୩ ଲକ୍ଷ ୧୮ ହଜାର ଉଠା ଦୋକାନୀଙ୍କୁ ଋଣ ଦିଆଯାଇଛି । ରବି ଫସଲ ପାଇଁ ୨୫ ହଜାର କୋଟି ଋଣ ଦିଆଯାଇଛି । ୧.୫୭ ଲକ୍ଷ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।