ରନ୍ଧାଖାଦ୍ୟ ନାହିଁ, ବିସ୍କୁଟ୍‌ ପ୍ୟାକେଟ୍‌ ଧରାଇ ଛୁ’

ଭୋକରେ ଆଉଟୁ ପାଉଟୁ ହଜାର ହଜାର ପରିବାର….

ଭୋଗରାଇ: ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ବନ୍ୟପାଣି ପ୍ରଭାବିତ ଅଂଚଳର ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ବନ୍ଧ ଟପି ବନ୍ୟାପାଣି ଗାଁ ଭିତରେ ପଶିଛି । କୋଉଠି ରାସ୍ତା ଉପରେ ଆଣ୍ଠୁଏ ପାଣି । କୋଉଠି ଝାଟିମାଟି ଘର ଉଜୁଡ଼ିଯାଇଛି । ଯୋଉଠି ଶୁଖିଲା ଜାଗା, ସେଠି ଲୋକମାନେ ପିଲାଛୁଆ, ଗାଈଗୋରୁ ଧରି ରୁଣ୍ଡ ହୋଇଛନ୍ତି । ରାସ୍ତା ଉପରେ ପାଣିସୁଅ କାରଣରୁ ଲୋକମାନେ ଯିବାକୁ ଭୟ କରୁଛନ୍ତି । ପାଣି ଲହଡ଼ି ଲୋକଙ୍କୁ ଛାନିଆ କରୁଛି । ସରକାର ବିପନ୍ନଙ୍କୁ ରନ୍ଧାଖାଦ୍ୟ, ପୋଷାକପତ୍ର, ପଶୁଖାଦ୍ୟ ଓ ଔଷଧପତ୍ର ଦେବାକୁ ଘୋଷଣା କରି ନିରବରେ ବସି ଯାଇଛନ୍ତି । ପ୍ରଶାସନ ପକ୍ଷରୁ ପିଲାମାନଙ୍କ ହାତରେ ଗୋଟିଏ ପ୍ୟାକେଟ୍‌ ବିସ୍କୁଟ୍‌ ଧରାଇ ରିଲିଫ୍‌ ପ୍ରଦାନ ବ୍ୟବସ୍ଥାରେ ମୁଣ୍ଡି ମରାଯାଇଛି ।
ଯୋଉଠି ଦେଖିବ, ଖାଲି ଅଭିଯୋଗ । ଜଳବନ୍ଦୀରେ ଥାଇ ଲୋକମାନେ ବନ୍ୟାପାଣି ପିଇବାକୁ ବାଧ୍ୟ ହୋଇଛନ୍ତି ।

ମୟୁରଭଞ୍ଜ, ବାଲେଶ୍ୱର ତଳିଆ ଅଂଚଳ ଲୋକଙ୍କ କଥାକୁ ପ୍ରଶାସନ ଶୁଣୁନାହିଁ । ରିଲିଫ କମିଶନର ଗଣମାଧ୍ୟମ ଆଗରେ ଡାହା ମିଛ କହୁଛନ୍ତି । ୯୦ଟି ଜାଗାରେ ରନ୍ଧାଖାଦ୍ୟ ଦେବାର ବନ୍ଦୋବସ୍ତ କରାଯାଇଛି ବୋଲି ରିଲିଫ କମିଶନର କହୁଥିଲେ । କାଇଁ ଆମ ପାଖକୁ ରନ୍ଧାଖାଦ୍ୟ ଆସିନି ତ? ଏମିତି ପ୍ରଶ୍ନ ବିପନ୍ନଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାରେ ବନ୍ୟାର ଭୟଙ୍କର ଚେହେରା ଦେଖିବାକୁ ମିଳିଛି । ସବୁଠି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତିରସ୍କାର କରାଯାଉଛି ।