ନୂଆଦିଲ୍ଲୀ: ‘ପ୍ରଭୁ, ପେଟକୁ ଭୋକ ଦେଇଛ । ଭିଟାମାଟିରେ ଚାକିରିଟିଏ ପାଇଲିନି ବୋଲି ବିଦେଶକୁ ଗଲି । ଏବେ ସେଠାରେ ବି ଚାକିରିରୁ ଛଟେଇ କରି ପୁଣି ଭିଟାମାଟିକୁ ପଠେଇଦେଲ ।’ ଗୁଗୁଲ, ମାଇକ୍ରୋସଫ୍ଟ ଭଳି ସଂସ୍ଥାରୁ ଛଟେଇ ହୋଇ ଭାରତ ଫେରିଥିବା ଯୁବକ ଯୁବତୀଙ୍କ ମନରୁ ଏହି ଭାବନା ଦେଖାଦେଇଛି । ଇତିମଧ୍ୟରେ ବହୁ ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ କର୍ମଚାରୀ ଛଟେଇ ଅଭିଯାନ ଆରମ୍ଭ ହୋଇଛି । ବ୍ରିଟେନ୍, ଆମେରିକା, ଜର୍ମାନୀ, ଫ୍ରାନ୍ସ ପ୍ରଭୃତି ବିକଶିତ ରାଷ୍ଟ୍ରରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ସଂସ୍ଥାରୁ କର୍ମଚାରୀଙ୍କୁ ଛଟେଇ କରାଯିବା ଫଳରେ ଭାରତ ଉପରେ ତା’ର ପ୍ରଭାବ ପଡ଼ିଛି । ଭାରତରେ ଚାକିରି ନପାଇ ବହୁ ମେଧାବୀ ଛାତ୍ରଛାତ୍ରୀ ବିଦେଶକୁ ଯାଇ ସେଠାରେ ବହୁ ନାମୀଦାମୀ ସଂସ୍ଥାରେ କାମ କରୁଛନ୍ତି । ଚାକିରି ହରାଇବା ପରେ ଭାରତକୁ ଫେରି ବେକାର ତାଲିକାଭୁକ୍ତ ହେଉଛନ୍ତି ।
ଚୀନି ସ୍ମାର୍ଟଫୋନ୍ ନିର୍ମାତା ‘ସାଓମି’ ୯୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି । କମ୍ପାନୀର ଆର୍ଥିକ ସ୍ଥିତି ଭଲ ନଥିବାରୁ ୩ ଭାଗ କର୍ମଚାରୀଙ୍କୁ ବାହାର କରିଦେଇଛି । ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆପ୍ଲ ଓ ମାଇକ୍ରୋସଫ୍ଟ ଭଳି ଲୋକପ୍ରିୟ କମ୍ପାନୀ କର୍ମଚାରୀ ଛଟେଇ କରିଛନ୍ତି । ଭାରତରେ ମଧ୍ୟ ବହୁ ଷ୍ଟାର୍ଟଅପ୍ କମ୍ପାନୀ ପକ୍ଷରୁ ଛଟେଇ ପର୍ବ ଆରମ୍ଭ ହୋଇଛି । ସବୁ ଛୋଟବଡ଼ କମ୍ପାନୀ ମାନ୍ଦାବସ୍ଥା ପାଇଁ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ଦାୟୀ କରୁଛନ୍ତି । ତା’ ସହିତ ଦରଦାମ ବୃଦ୍ଧିକୁ ମଧ୍ୟ ଦାୟୀ କରୁଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ବଜାର ଦର ହୁ ହୁ ବଢୁଛି । ମୁଦ୍ରାସ୍ଫୀତିରୁ ମୁକୁଳିବା ପାଇଁ ଭାରତର ରିଜର୍ଭ ବ୍ୟାଙ୍କ ସୁଧହାର ବଢ଼ାଇ ଅଭିବୃଦ୍ଧି ରୋକିବାର ପ୍ରୟାସ କରୁଛି ।
ଧନୀଦେଶ ଆମେରିକାରେ ମଧ୍ୟ ଆର୍ଥିକ ସ୍ଥିତି ଉଦ୍ବେଗଜନକ । ଗତ ୪୦ ବର୍ଷ ଭିତରେ ଏଭଳି ଉକ୍ରଟ ମୁଦ୍ରାସ୍ଫୀତି ଦେଖା ନଥିଲା । ଭାରତରେ ଆମେରିକା ସ୍ଥିତି ଉପୁଜିବାର ଆଶଙ୍କା କରାଯାଉଛି । ଗୁଗୁଲ ଓ ଫେସବୁକ୍ ଭଳି ସଂସ୍ଥା କର୍ମଚାରୀ ଛଟେଇ ଆରମ୍ଭ କରିଛନ୍ତି । ଭାରତର ରିଲାଏନ୍ସ, ଇନ୍ଫୋସିସ୍, ୱିପ୍ରୋ ଭଳି ସଂସ୍ଥା ଆଉ କେତେଦିନ ଆର୍ଥିକ ତାଡ଼ନା ସମ୍ଭାଳି ପାରିବେ । ତାହା ଦେଖିବା ପାଇଁ ଅପେକ୍ଷା ।