୭୨୦ରୁ ୭୨୦ ରଖି NEET ଟପ୍ପର ହେଲେ ଓଡିଆ ପୁଅ,ରଚିଲେ ଇତିହାସ

ଭୁବନେଶ୍ୱର( ଏସ୍ ନ୍ଯୁଜ) : ଶତ ପ୍ରତିଶତନମ୍ବର ରଖି ଏନଇଇଟି ବା ନିଟ୍ ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଇତିହାସ ସୃଷ୍ଟି କରିଛନ୍ତି । ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି ।

ତାଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ଅଛନ୍ତି । ତେବେ ତାଙ୍କର ପାଠପଢ଼ା ପାଇଁ ତାଙ୍କ ମା’ ତାଙ୍କୁ ନେଇ ରାଜସ୍ଥାନର କୋଟାଠାରେ ରହୁଛନ୍ତି । କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।

ସୂଚନାଯୋଗ୍ୟ ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ କରାଯାଇଥିବା ଏନଟିଏ ଏନଇଇଟି (ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା)-୨୦୨୦ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଉଭୟ ସେପ୍ଟେମ୍ବର ୧୩ ଓ ଅକ୍ଟୋବର ୧୪ରେ ହୋଇଥିବା ପରୀକ୍ଷାର ଫଳାଫଳ ଅନ୍ତର୍ଭୁକ୍ତ ରହିଛି ।

ଟ୍ଵିଟ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସଫଳ ପରୀକ୍ଷା ପରିଚାଳନା ପାଇଁ ଏନଟିଏ ମହାନିର୍ଦ୍ଦେଶକ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ସଫଳ ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଯେଉଁମାନେ ସଫଳ ହୋଇପାରିନାହାନ୍ତି ସେମାନଙ୍କୁ ନିରାଶ ନହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଗୋଟିଏ ପରୀକ୍ଷାରେ ବିଫଳତା ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି ।

https://twitter.com/DrRPNishank/status/1317122827842056192?s=20